ଭୁବନେଶ୍ୱର,୧୩/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ଠାରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଆଜିର ବୈଠକରେ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ରହିଥିବା ଯୁବ ରେଡ଼କ୍ରସ ୟୁନିଟ୍ର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ରେଡ଼କ୍ରସ ୟୁନିଟ୍ ଗୁଡ଼ିକର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେବା ସହ ସ୍ବେଚ୍ଛାସେବୀମାନଙ୍କର ଦକ୍ଷତା ବିକାଶ ଯେପରି କରାଯାଇପାରିବ, ସେହି ସମ୍ବନ୍ଧରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ରେଡ଼କ୍ରସ ୟୁନିଟ୍ ଗଠନ ଏବଂ ସ୍ବେଚ୍ଛାସେବୀଙ୍କ ଅଂଶଗ୍ରହଣ, ରକ୍ତଦାନ ଶିବିରର ବ୍ୟାପକ ଆୟୋଜନ, ରେଡ଼କ୍ରସ ୟୁନିଟ୍ ମାଧ୍ୟମରେ କ୍ୟାମ୍ପସରେ ନିଶାମୁକ୍ତି ଅଭିଯାନର ଆୟୋଜନ, କ୍ୟାମ୍ପସ ସ୍ଵଚ୍ଛତା, ସଡ଼କ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବେଶ ସୁରକ୍ଷା ଆଦି ଉପରେ ଯେପରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ପରାମର୍ଶ ଦେଇଥିଲେ। ଏଥିସହ ରାଜ୍ୟ ରେଡ଼କ୍ରସ ପୁରସ୍କାର ସମେତ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ରେଡ଼କ୍ରସ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇ, ସେମାନଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରିବା ପାଇଁ ଆଜିର ବୈଠକରେ ପ୍ରସ୍ତାବ ରଖାଯାଇଥିଲା।
ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଭାରତୀୟ ରେଡ଼କ୍ରସ ସୋସାଇଟି ରାଜ୍ୟ ଶାଖାର ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର, ଉଚ୍ଚଶିକ୍ଷା ବିଭାଗର ଉପ ଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ଏବଂ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
()
