କେନ୍ଦ୍ରାପଡ଼ା, ୨୭/୮/୨୦୨୪ (ଓଡ଼ିଶା ସମାଚାର)- ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲା ପ୍ରଶାସନର ସମୀକ୍ଷା ବୈଠକ ଜିଲା କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ କେନ୍ଦ୍ରାପଡ଼ା ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓ ମାନଙ୍କୁ ନିର୍ଦେଶ ଦେଇଥିଲେ ଯେ ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ଯେପରି ସଫଳ ହେବ ସେଥିପାଇଁ ଗ୍ରାମପଂଚାୟତ, ବ୍ଲକ ସ୍ତରରେ ନୋଡାଲ ଅଫିସର ନିଯୁକ୍ତ କରି ସୁଭଦ୍ରା ଯୋଜନାର ଫର୍ମ ସଂଗ୍ରହ ଏବଂ ଜନସେବା କେନ୍ଦ୍ର ମାନଙ୍କରେ ସେଗୁଡିକୁ ଅନଲାଇନ ମାଧ୍ୟମରେ ଅପଲୋଡ କରାଇବେ ଓ ଅଙ୍ଗନବାଡି ସୁପରଭାଇଜର, ରାଜସ୍ୱ ନିରିକ୍ଷକ, ସହକାରୀ ରାଜସ୍ୱ ନିରିକ୍ଷକ, ପି.ଇ.ଓ, ଜେ.ଇ. ଏବଂ ସହକାରୀ ଯନ୍ତ୍ରୀମାନଙ୍କୁ ନୋଡଲ ଅଫିସର ଭାବେ ନିଯୁକ୍ତ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ବୁଧବାର ଅପରାହ୍ନ ସୁଦ୍ଧା ପ୍ରତ୍ୟେକ ବ୍ଲକ ଓ ପୌରାଂଚଳରୁ ରିପୋର୍ଟ୍ ଦାଖଲ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଉଭୟ ଅଫଲାଇନ ତଥା ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ହିତାଧିକାରୀମାନେ ଆବେଦନ କରିପାରିବେ ।
୨୧ ବର୍ଷରୁ ଅଧିକ ବା ୬୦ ବର୍ଷରୁ କମ ବୟସ୍କ ମହିଳାମାନେ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବେ ଓ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ହିତାଧିକାରୀଙ୍କ ବୟସ ପାଇଁ ଚୂଡ଼ାନ୍ତ ହେବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ ଓ ଫର୍ମକୁ ନିକଟସ୍ଥ ମୋ ସେବା କେନ୍ଦ୍ର / ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବେ । ହିତାଧିକାରୀଙ୍କ ନିଜସ୍ୱ ବ୍ୟାଙ୍କ ଏକାଉନ୍ଟରେ ଆଧାରକାର୍ଡ, ମୋବାଇଲ ନମ୍ବର ସଂଯୋଗ ଥିବା ଆବଶ୍ୟକ । ପଂଚାୟତ, ବ୍ଲକ ଓ ଜିଲାସ୍ତରରେ ନୋଡ଼ାଲ ଅଫିସର ନିଯୁକ୍ତ ହେବେ ଏବଂ ଏହି ଯୋଜନାର କାର୍ଯ୍ୟକାରିତାକୁ ସେମାନେ ତଦାରଖ କରିବେ । ନିଷ୍ପତି ଗ୍ରହଣ କରାଯାଇଛି ଯେ ୨/୩ଟି ଅଙ୍ଗନ ବାଡି ସେଂଟର୍ କୁ ଗୋଟିଏ ଗୋଟିଏ ଜନସେବା କେନ୍ଦ୍ର ସହ ସଂଯୁକ୍ତ କରାଇ ସମସ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଜିଲାପାଳ ନିର୍ଦେଶ ଦେଇଥିଲେ ଯେପରି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନରୁ ବାଦ୍ ନ ପଡ଼ିବେ ଏବଂ ଜିଲାରେ ଏହି ଯୋଜନାର ସଫଳ ରୂପାୟନ ହେବ । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଲିଡ୍ ବ୍ୟାଙ୍କ ଅଫିସର ମନୋଜ ପ୍ରଧାନୀ, ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟା ସିନ୍ଧୁ ପରିଡା, ଭାରପ୍ରାପ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ତଥା ଡେପୁଟି କଲେକ୍ଟର କୁଇନ ଜେନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
