ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଓ କମ୍ପୁ୍ୟଟର ଶିକ୍ଷା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,୨୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜ୍ୟରେ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ସଶକ୍ତିକରଣ ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡଭାନ୍ସଡ୍‌ କମ୍ପୁ୍ୟଟିଂ (ସି-ଡାକ୍‌), କୋଲକାତା ଓ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ସହ ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ ।

ପ୍ରଥମ ବୁଝାମଣାପତ୍ର ଅନୁଯାୟୀ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ହେବ । ଏହି ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ ଫେସନ ଡିଜାଇନିଂ, ଅଟୋମୋଟିଭ୍‌, ହୋଟେଲ ମ୍ୟାନେଜମେଣ୍ଟ, ପର୍ଯ୍ୟଟନ ଶିଳ୍ପ, ସିକୁ୍ୟରିଟି କମ୍ପାନୀ, ହସ୍‌ପିଟାଲ୍‌ ଓ ବିଭିନ୍ନ ଘରୋଇ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ । ଏହି ବୁଝାମଣା ପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଓ ଶ୍ରୀ ଦୀପକ ରାଉତରାୟ ଏବଂ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ପକ୍ଷରୁ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରବିନ୍ଦ୍ର ସିଂହ ଓ ଅଧ୍ୟକ୍ଷ ଶାଳିନୀ ଖାନ୍ନା ସ୍ୱାକ୍ଷର କରିଥିଲେ । ସେହିପରି ଦ୍ୱିତୀୟ ବୁଝାମଣାପତ୍ର ଅନୁଯାୟୀ ‘ସାଇଟ୍‌ ବିୟଣ୍ଡ ସାଇଟ୍‌’ ପ୍ରକଳ୍ପ ଅଧୀନରେ ସି-ଡାକ୍‌ ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ କମ୍ପୁ୍ୟଟର ବିଷୟକ ଶିକ୍ଷାଦାନ କରିବ । ପ୍ରଥମ ପର୍ଯ୍ୟାୟରେ ୧୮ ମାସ ମଧ୍ୟରେ ୫୦୦ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ଏହି ଶିକ୍ଷା ଦିଆଯିବ । ସି-ଡାକ୍‌ ଭୁବନେଶ୍ୱର ଏହାର ଆଖପାଖ ଓ ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକୀୟ ସଫଫେୱୟାର ସହ ଡେସ୍କଟପ୍‌, ଲାପ୍‌ଟପ୍‌, ଡିଜିଟାଲ୍‌ ଭଏସ୍‌ ରେକର୍ଡର, ଟାବ୍‌ଲେଟ୍‌ ଆଦି ଯୋଗାଇଦେବ । ଏମ୍‌ଏସ୍‌ ଅଫିସ୍‌, ଇଣ୍ଟରନେଟ୍‌ ନାଭିଗେସନ୍‌, ଇମେଲ୍‌ ଭଳି ମୌଳିକ କମ୍ପୁ୍ୟଟର ବ୍ୟବହାର ସହ ବିଦ୍ୟାର୍ଥୀମାନଙ୍କୁ ବ୍ରେଲିରୁ ଟେକ୍ସଟ୍‌ କନଭର୍ଟର, ଓଡ଼ିଆ ଲେଖାରୁ ବକ୍ତୃତା, ଓଡ଼ିଆ ଭାଷାରେ ଫୋନେଟିକ୍‌ ଟକିଂ ଓ ଓଡ଼ିଆ ଅନୁବାଦର ଏକୀକରଣ, ଓଡ଼ିଆରେ ଅପଫିକାଲ ଅକ୍ଷର ଚିହ୍ନିବା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଏହି ବୁଝାମଣା ପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଓ ଶ୍ରୀ ଦୀପକ ରାଉତରାୟ ଏବଂ ସି-ଡାକ୍‌ ପକ୍ଷରୁ ବୈଜ୍ଞାନିକ (ଏଫ୍‌) ଓ ସହ-ନିର୍ଦ୍ଦେଶକ ଶ୍ରୀ ରିତେଶ ମୁଖାର୍ଜୀ, ବୈଜ୍ଞାନିକ (ଇ) ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ କୁନାଲ ଚନ୍ଦ୍ର ଏବଂ ସୋମା ଖାନ୍‌ ସ୍ୱାକ୍ଷର କରିଥିଲେ ।

Leave a Reply

Your email address will not be published. Required fields are marked *