କେନ୍ଦ୍ରାପଡ଼ା, ୨୨/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ ସମସ୍ତ ମେଢ କମିଟିର ସଭାପତି, ସମ୍ପାଦକ ଓ ସରକାରୀ ପଦାଧିକାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ପୌରସଂସ୍ଥା ଟାଉନହଲ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଜରୁରୀ ବୈଠକର ଉଦେଶ୍ୟ ଜ୍ଞାପନ କରିଥିଲେ । ସମ୍ଭାବ୍ୟ ବାତ୍ୟା “ଦାନା” ପରିପ୍ରେକ୍ଷୀରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାର ମେଲଣ ଶୋଭାଯାତ୍ରା ଓ ଭଷାଣୀ ଉତ୍ସବକୁ ସୁଚାରୁରୂପେ ପରିଚାଳନା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମସ୍ତ ମେଢ କମିଟିର କର୍ମକର୍ତା ଓ ସମନ୍ୱୟ କମିଟିର କେତେକ ସଦସ୍ୟଙ୍କ ମତାମତ ଗ୍ରହଣ କରାଯିବା ପରେ ଜିଲାପାଳ ଶ୍ରୀ ପ୍ରଧାନ ଓ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପ୍ରଶାସନିକ ତଥା ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଘଟିକା ସୁଦ୍ଧା ସମସ୍ତ ପୂଜା ମଣ୍ଡପର ସୁସଜ୍ଜିତ ତୋରଣ ଓ ଆଲୋକମାଳାକୁ ଅପସାରଣ କରିବା ନିମନ୍ତେ ସମସ୍ତ ପୂଜା ମଣ୍ଡପର କର୍ମକର୍ତାମାନଙ୍କୁ ଅନୁରୋଧ କରାଯିବା ସହିତ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିସହିତ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମା’ଲକ୍ଷ୍ମୀଙ୍କ ବିସର୍ଜନ, ମେଲଣ ଓ ଭଷାଣୀ ଦିବସକୁ ପରିବର୍ତନ କରାଯାଇ ୨୩ତାରିଖ ବୁଧବାର ସନ୍ଧ୍ୟା ୫ଘଟିକା ସୁଦ୍ଧା ମେଲଣ ଏବଂ ଭଷାଣୀ ପର୍ବ ସମାପନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ କେନ୍ଦ୍ରାପଡା ତହସିଲଦାର ତାପସରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ ଓ ବିଭିନ୍ନ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ।