କେନ୍ଦ୍ରାପଡ଼ା, ୨୪/୮/୨୦୨୪ (ଓଡ଼ିଶା ସମାଚାର)- ରାଜସ୍ଥାନରୁ ଆସି କେନ୍ଦ୍ରାପଡା ସହରରେ ଘରଭଡା ନେଇ ରହି ବ୍ୟବସାୟ କରୁଥିବା ଜନୈକ ସାଙ୍ଗ ତାଙ୍କ ପତ୍ନୀଙ୍କ ସହିତ ସଂପର୍କ ରଖିଥିବା ସନ୍ଦେହରେ ଅନ୍ୟ ଜଣେ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମର ମହମ୍ମଦ ବଦରୁଜ୍ ଜମାନଙ୍କ ଘରେ ରାଜସ୍ଥାନ ରାଜ୍ୟର ବଳଭଦ୍ର ନଗର ଥାନା ଅନ୍ତର୍ଗତ କୁଆଁରିଆ ଗ୍ରାମର ମଦନ ଦାସ ବୈଷ୍ଣବଙ୍କ ପୁଅ ପ୍ରଦିପ କୁମାର ବୈଷ୍ଣବ ଭଡା ନେଇ ରହୁଥିଲେ । ସେହି ରାଜସ୍ଥାନର ବଳଭଦ୍ରନଗର ଥାନା ଅନ୍ତର୍ଗତ ନଓନିଆ ଗ୍ରାମର ସିକନ୍ଦର ମନସୁରୀଙ୍କ ପୁଅ କୁରବାନ ମନସୁରୀ ମଧ୍ୟ ତାଙ୍କ ପାଖ ଘରେ ଭଡା ନେଇ ରହିଆସୁଥିଲେ । ପ୍ରଦିପ ବ୍ୟବସାୟକୁ ଚାଲିଯିବା ପରେ ତାଙ୍କ ସାଙ୍ଗ ତଥା ମୃତକ କୁରବାନ ତାଙ୍କ ପତ୍ନୀଙ୍କ ସହିତ ପରକୀୟାପ୍ରିତୀ ରଖୁଥିବାର ସନ୍ଦେହ କରି ଆସୁଥିଲେ । ଏହି ଘଟଣାକୁ ନେଇ ଅଭିଯୁକ୍ତ ପ୍ରଦିପ କୁରବାନଙ୍କୁ ଏକ ଘରେ ବନ୍ଦ କରି ରଖି ନିସ୍ତୁକ ମାଡ ମାରିଥିଲେ । ଶନିବାର ସକାଳୁ ପ୍ରଦୀପ ବନ୍ଦଥିବା ଘରକୁ ଯାଇ ଦେଖନ୍ତିତ କୁରବାନ୍ ମରି ପଡିଛନ୍ତି । ପ୍ରଦୀପ ଏସମ୍ପର୍କରେ ଘର ମାଲିକଙ୍କୁ ଜଣାଇବା ପରେ ଘର ମାଲିକ ତୁରନ୍ତ ଟାଉନ ଥାନା ପୋଲିସକୁ ଘଟଣା ବିଷୟରେ ଜଣାଇ ଦେଇଥିଲେ । ଖବର ପାଇ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲିକ ଘଟଣା ସ୍ଥଳରେ ପୋଲିସ ଫୋର୍ସ ସହିତ ପହଁଚି ଘର ଖୋଲି ଦେଖିବା ପରେ ଫରେନସିକ ଟିମ୍ କୁ ଖବର ଦେଇଥିଲେ । ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଁଚି ହତ୍ୟା କରାଯାଇଥରବା ଗୃହର ବିଭିନ୍ନ ସ୍ଥାନରୁ ପ୍ରମାଣ ସଂଗ୍ରହ କରିଥିଲେ । ଟାଉନ ଥାନା ପୋଲିସ କୁରବାନର ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛି । ଗୃହମାଲିକଙ୍କ ଅଭିଯୋଗକୁ ଭିତିକରି ଥାନା କେଶ ନମ୍ବର ୧୭୭/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ୧୦୩ଦଫାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରଦୀପକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଏଥିସହିତ ହତ୍ୟାକାଣ୍ଡ ଘଟିଥିବା ଅଂଚଳରେ ରହୁଥିବା ବିଭିନ୍ନ ଲୋକମାନଙ୍କୁ ପଚରା ଉଚରା ଚଳାଇଛି ।