ଏଆଇଟିୟୁସିର ବିଶାଳ ସମାବେଶ – କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନର ଡ଼ାକରା

ଭୁବନେଶ୍ୱର,୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ବନ୍ଦ କଳକାରଖାନା ପୁନରୁଦ୍ଧାର, ସର୍ବନିମ୍ନ ମଜୁରୀ ସଂଶୋଧନ, ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ଓ ଅନ୍ୟାନ୍ୟ ଦାବିନେଇ ଆଜି ରାଜଧାନୀର ଲୋଏର ପିଏମଜିଠାରେ ଏଆଇଟିୟୁସି ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ୱରେ ମାଷ୍ଟର କ୍ୟାନଟିନ୍ରୁ ଏକ ବିଶାଳ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ହଜାର ହଜାର ଶ୍ରମିକ ଲାଲଝଣ୍ଡା ହାତରେ ଧରି ଶ୍ରମିକ ବିରୋଧୀ ମୋଦି – ନବୀନ ସରକାର ନାହିଁ ଆମର ଦରକାର, ବନ୍ଦ କଳକାରଖାନା ଖୋଲ, ଶ୍ରମିକଙ୍କୁ ଛବିଶି ହଜାର ଟଙ୍କା ମଜୁରୀ ଦିଅ, ଠିକା ପ୍ରଥା ବନ୍ଦକର, ସ୍ଥାୟୀ ନିଯୁକ୍ତି ଦିଅ, ପ୍ରକଳ୍ପ କର୍ମୀଙ୍କୁ ସରକାରୀ ଶ୍ରମିକର ମାନ୍ୟତା ଦିଅ, ଶ୍ରମିକ ବିରୋଧୀ ଶ୍ରମ କୋଡ ୍କୁ ବାତିଲ କର, ଦରବାମ ବୃଦ୍ଧି ବନ୍ଦକର, ସମାନ କାମ ପାଇଁ ସମାନ ଦରମା ପ୍ରଭୃତି ସ୍ଲୋଗାନମାନ ଦେଇ ପିଏମଜି ଛକ ପର୍ଯ୍ୟନ୍ତ ଆକାଶ ବତାଶ ପ୍ରକମ୍ପିତ କରିଥିଲେ । ଲୋଏର ପିଏମଜି ବିଧାନସଭା ସମ୍ମୁଖରେ ଶୋଭାଯାତ୍ରା ବିଶାଳ ଶ୍ରମିକ ସମାବେଶରେ ପରିଣତ ହୋଇଥିଲା । ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାଶ ସଭାପତିତ୍ୱ କରି କହିଥିଲେ– କେନ୍ଦ୍ରର ମୋଦି ସରକାର ଏବଂ ରାଜ୍ୟର ନବୀନ ସରକାର ଶ୍ରମିକ ବିରୋଧୀ, ଜନ ବିରୋଧୀ ତଥା କର୍ପୋରେଟ୍ ପକ୍ଷପାତି ନୀତି ଚଳାଇଥିବାରୁ ଶ୍ରମିକମାନେ ଏଭଳି ସରକାରଙ୍କୁ ପ୍ରତ୍ୟାଖାନ କରଥିବା ଆଜିର ଏହି ଶ୍ରମିକ ସମାବେଶ ପ୍ରତିଫଳିତ କରୁଛି ।
କେନ୍ଦ୍ରର ବିଜେପି ସରକାର ଓ ଓଡିଶାର ବିଜେଡ଼ି ସରକାର ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଉଭୟ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ । ଏହି ସରକାରମାନଙ୍କୁ ଉଚିତ ଜବାବ ଦେବାକୁ ଏଆଇଟିୟୁସିର କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ତଥା ସାଂସଦ ବିନୟ ବିଶ୍ୱମ୍ ଉଦବୋଧନ ଦେଇ ଆହ୍ୱାନ ଦେଇଥିଲେ । ଏଆଇଟିୟୁସିର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଅମରଜିତ୍ କାଉର୍ ତାଙ୍କର ଦୀର୍ଘ ଭାଷଣରେ ଭାରତର ଶ୍ରମିକ ଶ୍ରେଣୀ କିପରି ଭାବରେ କେନ୍ଦ୍ରର ମୋଦି ସରକାରଙ୍କ ଶାସନରେ ନିର୍ଯ୍ୟାତିତ ହେଉଛନ୍ତି ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ବିଜେପି ସରକାର ଶ୍ରମିକ ଶ୍ରେଣୀର ଶତବର୍ଷର ଦୀର୍ଘ ସଂଗ୍ରାମ ଲବ୍ଧ ଶ୍ରମ ଅଧିକାରଗୁଡ଼ିକୁ ୪ ଶ୍ରମ ସଂହିତା ପ୍ରଣୟନ କରି ହରଣ କରିଛନ୍ତି, ଠିକା କାମକୁ ଆଇନସିଦ୍ଧ କରାଯାଇଛି, ଅଙ୍ଗନୱାଡ଼ି, ଆଶା, ପାଚିକା ପ୍ରଭୃତି ସ୍କିମ୍ ୱାର୍କରଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉନାହିଁ । କେନ୍ଦ୍ରର ସମସ୍ତ ଜନବିରୋଧୀ ନୀତି ଓ କାର୍ଯ୍ୟକୁ ଓଡିଶାର ବିଜେଡ଼ି ସରକାର ସମର୍ଥନ ଜଣାଇଛି । ଅତଏବ ଉଭୟ ଜନବିରୋଧୀ ସରକାରଙ୍କ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି କୋଳିବା ପାଇଁ ସେ ଆହ୍ୱାନ ଜଣାଇଥିଲେ ।
ପ୍ରାରମ୍ଭରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ରାଜ୍ୟର ସବୁ କ୍ଷେତ୍ର ଏବଂ ବର୍ଗର ଶ୍ରମିକ ଓ କର୍ମଚାରୀ ସମାବେଶରେ ଯୋଗଦେଇଥିବାରୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜନସାଧାରଣଙ୍କ ଜ୍ୱଳନ୍ତ ସମସ୍ୟା ଗୁଡ଼ିକ ଉତ୍ଥାପନ କରିଥି କହିଥିଲେ– ୨୦ ଦଫା ଦାବି ନେଇ ଅନୁଷ୍ଠିତ ଏହି ଶ୍ରମିକ ସମାବେଶ ସରକାରଙ୍କୁ ଚେତାବନୀ ଦେଉଛିଯେ, ଶ୍ରମିକର ଜ୍ୱଳନ୍ତ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରନ୍ତୁ, ନଚେତ୍ ଉଭୟ ସରକାରଙ୍କୁ ଉତ୍ଖାନ କରିବା ପାଇଁ ଶ୍ରମିକଶ୍ରେଣୀ ବ୍ୟାପକ ଜନ ଆନ୍ଦୋଳନ ଚଳାଇବାକୁ ବାଧ୍ୟହେବ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ବରିଷ୍ଠ ଉପସଭାପତି ତଥା ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ମାୟାଧର ନାୟକ, ହରପ୍ରିୟା ସ୍ୱାଇଁ, ନମିତା ସାହୁ, ଅନିତ ଚକ୍ରବର୍ତି, କିଶୋର ଜେନା, ସତ୍ୟବାଦୀ ବାଘ, ସୁର ଜେନା, ଅବକାଶ ସାହୁ, କମଳ ଷଣ୍ଢ, ମାତିଲଦା କୁଲୁ, ପ୍ରମଦେ ମହାନ୍ତି ପ୍ରମୁଖ ଶ୍ରମିକ ନେତା ମଧ୍ୟ ସମାବେଶରେ ବକ୍ତବ୍ୟମାନ ରଖିଥିଲେ । ସମାବେଶ ପରେ ଅଶୋକ ଦାସ ଏବଂ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧୀମଣ୍ଡଳୀ ଶ୍ରମମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତକରି ୨୦ଦଫା ଦାବି ସମ୍ବଳିତ ଦାବପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *