ଶୋକ ସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ ବିଧାୟକ
ମାହାଙ୍ଗା,୨୨/୮/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – ପୋଲିସ ଭୁଲିଗଲା ମାନବିକତା । ସମ୍ବେଦନଶୀଳତାର ପାଠ ପଢିଥିବା ଥାନାବାବୁ ଓ ତା’ଙ୍କ ସହକର୍ମୀଙ୍କ ବ୍ୟବହାର ପାଇଁ ଘଟିଗଲା ଏକ ବଡ଼ ଅଘଟଣ । ପୋଲିସ ସାମ୍ନାରେ ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଯାଇ ପତ୍ନୀଙ୍କୁ ଦେବାକୁ ପଡିଲା ଅଗ୍ନି ପରୀକ୍ଷା । ଶେଷରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ରଶ୍ମିତା ଦାସ ସବୁଦିନ ପାଇଁ ଆଖି ବୁଝିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ପତ୍ନୀକୁ ଥାନାରେ ଭେଟିବାକୁ ଯେଉଁ ଶଙ୍କର ଦାସଙ୍କୁ ପୋଲିସ ସୁଯୋଗ ଦେଇନଥିଲା,ପରନ୍ତୁ ସେଇ ଶଙ୍କରକୁ ଅଦାଲତ ଚଉଦ ଦିନିଆ ପାରୋଲରେ ଛାଡିଛନ୍ତି । ପତ୍ନୀର ଦାହ ସଂସ୍କାର ପାଇଁ ସୁଯୋଗ ପାଇଛି ଶଙ୍କର । ଘରେ ଦୁଇ ୨ଟି ଛୋଟ ପିଲା ଓ ବୃଦ୍ଧ ମାଆ ।
ବିଧାୟକ ଶାରଦା ପ୍ରଧାନ ମାନବିକତା ଦୃଷ୍ଟିରୁ ଖର୍ତ୍ତାଙ୍ଗ ଗ୍ରାମରେ ପହଂଚି ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ । ମୃତା ରଶ୍ମିତାର ଦୁଇଟି ଶିଶୁ ସନ୍ତାନଙ୍କ ଶିକ୍ଷା ଓ ଭବିଷ୍ୟତ ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ସେମାନଙ୍କ ମାଆ ଯେଉଁ ପରିସ୍ଥିତିରେ ମୃତ୍ୟୁର ଶୀକାର ହେଲେ, ସେଥିପାଇଁ ଦୃଢ଼ ନିନ୍ଦା କରିଥିଲେ । ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାହା କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆ ଯିବ ବୋଲି କହିଥିଲେ । ସ୍ଥାନୀୟ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରେଡ଼କ୍ରସ ପାଣ୍ଠିରୁ ମଂଜୁର ହୋଇଥିବା ତିରିଶ ହଜାର ଟଙ୍କା ରଶ୍ମିତାଙ୍କ ସ୍ୱାମୀ ଶଙ୍କରଙ୍କୁ ବିଧାୟକ ଶ୍ରୀ ପ୍ରଧାନ ପ୍ରଦାନ କରିଥିଲେ । ବିଧାୟକଙ୍କ ସହିତ ସାମାଜିକ କର୍ମୀ ଅଖିଳେଶ ମହାନ୍ତି, ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି, ସମାଜସେବୀ ଭକ୍ତ ଚରଣ ସ୍ୱାଇଁ, ଶିକ୍ଷାବିତ ଭାବଗ୍ରାହୀ ରାଉତ,ଆଇନୀଜୀବୀ ଗୌତମ ଶତପଥୀ, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବେହେରା, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
