ଭୁବନେଶ୍ୱର,୨୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ପାଇଁ ଆଜି ଆମେ ଗର୍ବିତ। ଆଜି ଭାରତୀୟ ହକି ଟିମ୍ ର କ୍ରୀଡ଼ାବିତ୍ ମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଆସି ପହଁଚିଥିଲେ। ଏହି ଅବସରରେ ଭାରତୀୟ ହକି ଟିମ୍ କୁ ଓଡ଼ିଶା ସରକାରଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ ଏବଂ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ହକି ଟିମ୍ ର କ୍ରୀଡ଼ାବିତ୍ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାପରେ ଭାରତୀୟ ହକି ଟିମ୍ କୁ ଏକ ରୋଡ଼ ସୋ ମାଧ୍ୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ୍ ପର୍ୟ୍ୟନ୍ତ ଅଣା ଯାଇଥିଲା। ଏହି ଅବସରରେ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ହକି ଟିମ୍ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଯଥା ଭୁବନେଶ୍ୱର ବିମାନବନ୍ଦର ଠାରେ ଘୁମୁରା, ସାହିଜାତ, ଦୁରୁଆ ନାଚ, ସାନ୍ତାଳୀ ନୃତ୍ୟ, କ୍ୟାପିଟାଲ ହସ୍ପିଟାଲ ଛକ ଠାରେ ବଜାସାଲ, ଏଜି ଛକ ଠାରେ ସମ୍ବଲପୁରୀ, ରାଜଭବନ ଠାରେ ଦୁଲଦୁଲି, କଳିଙ୍ଗ ଷ୍ଟାଡିୟମ୍ ଠାରେ ଝାଞ୍ଜ, ଖୋଳ ଓ କରତାଳ ଆଦିର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସମ୍ପୂର୍ଣ୍ଣ ପରିବେଶ ପ୍ରଶଂସକ ମାନଙ୍କର “ଟିମ ଇଣ୍ଡିଆ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।
ପ୍ରକାଶଯୋଗ୍ୟ ଯେ, ଟୋକିଓ ଅଲମ୍ପିକ୍ସ -୨୦୨୦ ଓ ପ୍ୟାରିସ ଅଲମ୍ପିକ୍ସ – ୨୦୨୪ ରେ ଭାରତୀୟ ହକି ଟିମ୍ ଲଗାତାର ଦୁଇ ଥର ଭାବେ କାଂସ୍ୟ ପଦକ ଅର୍ଜନ କରି ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ୧୯୨୮ ମସିହାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଭାରତୀୟ ହକିଟିମ୍ ଅଲମ୍ପିକ୍ସ ପ୍ରତିଯୋଗିତାର ବିଭିନ୍ନ ସଂସ୍କରଣରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଭାରତୀୟ ହକି ଟିମ୍ ପାଖରେ ୮ ଟି ସ୍ବର୍ଣ୍ଣ, ୧ ଟି ରୌପ୍ୟ ଏବଂ ୪ ଟି କାଂସ୍ୟ ପଦକ ତଥା ସର୍ବମୋଟ ୧୩ ଟି ଅଲମ୍ପିକ୍ସ ପଦକ ରହିଛି ।
