ବଜ୍ରପାତରେ କୃଷକଙ୍କ ମୃତୁ୍ୟ

କେନ୍ଦ୍ରାପଡା, ୨୧/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଆୟବା ଗ୍ରାମର ଭ୍ରମରବର ନାୟକଙ୍କ ପୁତ୍ର ଜଟିଆ ଓରଫ୍ ବଳରାମ ନାୟକ(୫୩)ଙ୍କ ବଜ୍ରାଘାତରେ ଆଜି ମୃତୁ୍ୟ ହୋଇଯାଇଛି । ସେ ବିଲରେ ଧାନ ରୋଉଥିବା ବେଳେ ଆଜି ଅପରାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇ ବଜ୍ରପାତ ହୋଇଥିଲା । ସେହି  ବଜ୍ରପାତରେ ଜଟିଆ ବିଲରେ ଅଚେତ ହୋଇ ପଡିଯାଇଥିଲେ । ନିକଟରେ ବିଲ ରୋଉଥିବା ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଜଟିଆ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ସେ ଚାଷବାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଅକାଳ ବିୟୋଗରେ ପରିବାର ସଦସ୍ୟମାନେ ଭାଙ୍ଗି ପଡିଛନ୍ତି । ସଚେତନତା ଅଭାବରୁ ବର୍ଷାଋତୁରେ ବିଲରେ କାମ କରୁଥିବା କୃଷକ ଓ କୃଷି ଶ୍ରମିକ ବଜ୍ରପାତର ଶିକାର ହେଉଛନ୍ତି । ସେମାନଙ୍କୁ ସଚେତନ କରାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ପ୍ରାୟ ସବୁଦିନ ଅପରାହ୍ନ ସମୟରେ ବିଜୁଳି ଓ ଘଡଘଡି ମାରୁଛି । ପୂର୍ବ ସୂଚନା ସେମାନଙ୍କୁ ଦିଆଯାଉନଥିବାରୁ ସେମାନେ ବିଲରେ କାମ କରୁଛନ୍ତି । ଯାହାଫଳରେ ଏପରି ଅଭାବନୀୟ ଘଟଣାର ଶିକାର ହେଉଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଧ୍ୟାନ ଦେବାକୁ ପୂର୍ବତନ ସରପଂଚ ସଂଘ ସଭାପତି ପ୍ରଦୁ୍ୟମ୍ନ କୁମାର ଜେନା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *