ପ୍ରବାସୀ ଭାରତୀୟ ଦିବସ  ପାଇଁ  ଚାଲିଛି ପ୍ରସ୍ତୁତି

ଜନତା ମଇଦାନରେ ଶୋଭା ପାଇବ ଓଡ଼ିଶା ଥିମ୍ ପ୍ୟାଭିଲିୟନ

ଭୁବନେଶ୍ୱର, ୦୩/୦୧/୨୦୨୫ (ଓଡ଼ିଶା ସମାଚାର)-ଆଉ ମାତ୍ର ୪ ଦିନ ପରେ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ’ର ୧୮ତମ ସଂସ୍କରଣ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ସମ୍ମେଳନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଲାଣି । ସମ୍ମେଳନ ସ୍ଥଳୀକୁ ସୁନ୍ଦର ଭାବେ ସଜ୍ଜାଯିବା ସହ ଆଲୋକୀକରଣ କରାଯାଉଛି । ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ ସମ୍ମେଳନରେ ପ୍ରମୁଖ ଆକର୍ଷଣ ହେବ ଓଡ଼ିଶା ଥିମ୍ ପ୍ୟାଭିଲିୟନ । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ପ୍ୟାଭିଲିୟନରେ ଓଡ଼ିଶାର ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିଳ୍ପ ବିକାଶ ପ୍ରଦର୍ଶିତ ହେବ ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ପ୍ୟାଭିଲିୟନ ଓଡ଼ିଶା ସଂସ୍କୃତିର ପେଣ୍ଠସ୍ଥଳ ହେବ । ୪୦୦ ବର୍ଗ ମିଟର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ଏହି ପ୍ୟାଭିଲିୟନର ନାମ ରହିଛି ‘ଗ୍ଲୋରିୟସ ଓଡ଼ିଶା: ପ୍ରାଚୀନରୁ ଆଧୁନିକ । ପ୍ୟାଭିଲିୟନକୁ ପାରମ୍ପରିକ କାରିଗରୀ ଏବଂ ଆଧୁନିକ ଡିଜାଇନର ଏକ ସନ୍ତୁଳିତ ଏକୀକରଣରେ ଉପସ୍ଥାପନ କରାଯିବ । ଏହାର ଗଠନ ଶୈଳୀରେ ଓଡ଼ିଶାର ଆଭ୍ୟନ୍ତରୀଣ ପରମ୍ପରା ସଂସ୍କୃତି, ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ରାଜ୍ୟର ବୈଶିଷ୍ଟ୍ୟର ଛାପ ଦେଖିବାକୁ ମିଳିବ । ଏହାକୁ ପଟ୍ଟଚିତ୍ର, ଚାନ୍ଦୁଆ କାର୍ଯ୍ୟ ଏବଂ ଆଦିବାସୀ ଚିତ୍ରକଳାରେ ସୁସଜ୍ଜିତ କରାଯିବ , ଯାହା ପରିଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ପ୍ୟାଭିଲିୟନ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜି ଗୁଡ଼ିକର ପ୍ରଦର୍ଶନ କରାଯିବ । ଏହାର ବାହ୍ୟ ସରଂଚନାରେ ଓଡ଼ିଶାର ଅନନ୍ୟ କଳା, ହସ୍ତତନ୍ତ, ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ହସ୍ତଶିଳ୍ପ, ଆଦିବାସୀ ସମ୍ପ୍ରଦାୟର ଅବଦାନ ସମେତ ଓଡ଼ିଶାର ସାଂସ୍କୃତିକ ଉତ୍ତରାଧିକାରକୁ ଦର୍ଶାଉଥିବା ଭିଜୁଆଲ୍ କାହାଣୀଗୁଡ଼ିକ ଉପସ୍ଥାପିତ ହେବ ।

ପରିଦର୍ଶକମାନଙ୍କୁ ବିଶେଷ ଭାବରେ ପ୍ରବେଶ କ୍ଷେତ୍ର ଏବଂ ୩ଡି ସ୍ଥାପତ୍ୟ ପ୍ରଭାବିତ କରିବ । ବଡ଼ ଆକାରର 3D ସ୍ଥାପତ୍ୟଗୁଡ଼ିକ ଓଡ଼ିଶାର ପ୍ରତୀକ, ସାଂସ୍କୃତିକ ଉପାଦାନ ଏବଂ ଶିଳ୍ପ ସଫଳତାକୁ ପ୍ରତିନିଧିତ୍ୱ କରିବ । କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ବିସ୍ତୃତ ପ୍ରତିକୃତି ଏଠାରେ ସ୍ଥାନ ପାଇବ । ତାସହ ଚିଲିକା ହ୍ରଦ ଇକୋସିଷ୍ଟମ୍, ପକ୍ଷୀ ବିହାରର ଭର୍ଚୁଆଲ୍ ଅନୁଭୂତି ନେବେ ପ୍ରବାସୀ ।

ଦର୍ଶକଙ୍କ ଅନୁଭୂତିକୁ ଆହୁରି ସୁନ୍ଦର ଓ ସ୍ୱତନ୍ତ୍ର କରିବା ପାଇଁ ଡିଜିଟାଲ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ତଥା ବିକାଶୋନ୍ମୁଖୀ ଶିଳ୍ପର ସୁଯୋଗ ପୃଷ୍ଠଭୂମି ଭାବେ ଓଡ଼ିଶାର ବିଷୟବସ୍ତୁ ପ୍ରଦର୍ଶନ କରିବା ଯୋଜନା ରହିଛି । ପାରମ୍ପରିକ ସଂସ୍କୃତିକୁ ଏଥର ଆନିମେଟେଡ଼ ଭିଡ଼ିଓ, ଡିଜିଟାଲ୍ କଣ୍ଟେଣ୍ଟ୍ ଓ ଭର୍ଚୁଆଲ ରିଆଲିଟି ଆଦି ଆଧୁନିକ ମାଧ୍ୟମରେ ପରିବେଷଣ କରିବାର ମଧ୍ୟ ଯୋଜନା ରହିଛି । ଏଥିସହ ଓଡିଶାର ଶିଳ୍ପ ପ୍ରଗତିକୁ ଆଲୋକିତ କରୁଥିବା ମଡେଲଗୁଡ଼ିକ ପ୍ରଦର୍ଶିତ ହେବ । କେବଳ ମନୋରଞ୍ଜନ ନୁହେଁ, ଭାରତ ବାହାରେ ରହୁଥିବା ପ୍ରବାସୀ ଓ ବିଭିନ୍ନ ଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କୁ ଓଡ଼ିଶାର ସଂସ୍କୃତି ସହ ଯୋଡ଼ିବାର ଏକ ଉତ୍ତମ ମାଧ୍ୟମ ହେବ ।

Leave a Reply

Your email address will not be published. Required fields are marked *