ଜଗତସିଂହପୁର, ୧୭/୮/୨୦୨୪ (ଓଡ଼ିଶା ସମାଚାର)-କାର୍ଯ୍ୟ ଓ ପୋଲିସ ସେବା ପାଇଁ ସ୍ଵାଧୀନତା ଦିବସ ୨୦୨୪ ଅବସରରେ ଜଗତସିଂହପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା ଭୁବନେଶ୍ଵରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ରାଷ୍ଟ୍ରପତି ଉଲ୍ଲେଖନୀୟ ସେବା ପଦକ ପାଇଛନ୍ତି ।ଶ୍ରୀ ଅମରେନ୍ଦ୍ର ପଣ୍ଡା ୧୯୯୩ ମସିହାରେ ଓଡ଼ିଶା ପୋଲିସ୍ରେ ଯୋଗଦାନ କରିଥିଲେ । ସେ ଜଣେ ବୃତ୍ତିଗତ ପାରଦର୍ଶି, କଠିନ ପରିଶ୍ରମୀ, ଅପରାଧ ଓ ଅପରାଧୀକ ଜ୍ଞାନ ଦ୍ବାରା ଅଧିକୃତ ଉଚ୍ଚପଦସ୍ଥ କର୍ମଚାରୀ ।
ସମାଜରେ ଦୁର୍ବଳ ଶ୍ରେଣୀୟ ଲୋକମାନଙ୍କୁ ସମୟପୋଯୋଗୀ ସହାୟତା କରିବା ତାଙ୍କର ଏକ ବିଶେଷ ଗୁଣ । ତାଙ୍କର ଚାକିରୀ ଅବଧିରେ ବହୁ ଅପରାଧିଙ୍କ ମୋକଦ୍ଦମାର ତଦନ୍ତ କରି ଅପରାଧୀଙ୍କୁ ନ୍ୟାୟାଳୟ ଦ୍ବାରା ଦୋଷୀ ସାବ୍ୟସ୍ଥ କରାଇଛନ୍ତି । ସେ ସହରାଞ୍ଚଳ ଆରକ୍ଷୀ ଜିଲ୍ଲା କଟକରେ ସହକାରୀ କମିଶନର ଥିବା ସମୟରେ ତାଙ୍କ ନେତୃତ୍ବରେ ବିଭିନ୍ନ ଚଢଉ ଦ୍ବାରା ୩୨ଗୋଟି ବନ୍ଧୁକ, ୧୧୫୭ ଗୋଟି ଜୀବନ୍ତ ଗୁଳି ଜବତ ହେବାସହ ଅନେକ ଅନୈତିକ ଅସ୍ତ୍ରଶସ୍ତ୍ର କାରବାରକାରୀ ଗିରଫ ହୋଇଛନ୍ତି । ସେ ମାଲଗୋଦାମ, ଜଗତପୁର, ଚାଉଳିଆଗଞ୍ଜ ଏବଂ ଚୌଦାର ଥାନା ପରିସରଭୁକ୍ତ ଅପମିଶ୍ରିତ ଖାଉଟି ଦ୍ରବ୍ୟ ଉତ୍ପାଦନକାରୀଙ୍କ ବିରୁଦ୍ଧରେ ଅପରେସନ କରି ପ୍ରାୟ ୨୦ ରୁ ଉର୍ଦ୍ଧ ଅପମିଶ୍ରିତ ସଂସ୍ଥାକୁ ନିଷ୍କ୍ରିୟ କରି ଅନେକ ଉଚ୍ଚ ଅପମିଶ୍ରିତ ଅପରାଧୀଙ୍କୁ ଗିରଫ କରିଛନ୍ତି ।
ଶ୍ରୀ ପଣ୍ଡାଙ୍କର ବୃତ୍ତିଗତ ସଫଳତା ପାଇଁ ୨୦୨୦-୨୧ ମସିହାରେ ଉଲ୍ଲେଖନୀୟ ସେବା ପାଇଁ ଡି.ଜି.ପି. ଡିସ୍କ, ୨୦୨୧ ମସିହାରେ ଶ୍ରେଷ୍ଠ ଭୂଭାଗ ଆରକ୍ଷୀ ସହକାରୀ କମିଶନର ଏବଂ ପୋଲିସ କମିସନରେଟ୍ ଭୁବନେଶ୍ବର-କଟକର ତ୍ରୟୋଦଶ ପ୍ରତିଷ୍ଠା ଦିବସରେ ଆର୍ଥିକ ପୁରସ୍କାର ସହ ଶ୍ରେଷ୍ଠ ଆରକ୍ଷୀ ସହକାରୀ କମିଶନର ଭାବେ ସମ୍ମାନିତ ହୋଇଛନ୍ତି ।
ଶ୍ରୀ ପଣ୍ଡାଙ୍କର ଉଚ୍ଚକୋଟୀର କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ର ସୀକୃତି ସ୍ୱରୂପ ଭାରତର ମାନ୍ୟବର ରାଷ୍ଟ୍ରପତି ତାଙ୍କୁ ୨୦୨୧ ମସିହା ସାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସେବା ନିମନ୍ତେ ପୋଲିସ ପଦକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ମଧ୍ୟ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ପଦକ ପାଇବା ପରେ ଶ୍ରୀ ପଣ୍ଡାଙ୍କୁ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି।
