୭୮ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

                                     ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, ୧୫/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୭୮ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପୁଲିସ ଡିଜି ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ଧଳ, ଶ୍ରୀ ସୁରେନ୍ଦ୍ର କୁମାର ଓ ଶ୍ରୀ ସତ୍ୟବ୍ରତ ସାହୁ ବିଧାୟକ ଶ୍ରୀ ବାବୁ ସିଂ ଓ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ ।

       ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଭାରତ ବର୍ଷ ବିଶ୍ୱ ଅର୍ଥନୀତିରେ ଏକାଦଶ ସ୍ଥାନରୁ ଆସି ଆଜି ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପହଞ୍ଚିପାରିଛି । ଖୁବ୍‌ ଶୀଘ୍ର ବିଶ୍ୱର ତିନୋଟି ଅର୍ଥନୀତି ମଧ୍ୟରେ ଭାରତ ସ୍ଥାନ ପାଇବ ।

          ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ ସ୍ମରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ ହୋଇଛି, ସେତେବେଳେ ଏ ଜାତିରେ ନୂଆ ଜାଗରଣ ଆସିଛି । ଓଡ଼ିଆ ଜାତି ସଂଗ୍ରାମ କରି ନିଜ ଅସ୍ମିତାର ପୁନଃପ୍ରତିଷ୍ଠା କରିଛି । ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ । କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁବର୍ଗର ସାମଗି୍ରକ ଉନ୍ନତି ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ସାମୂହିକ ବିକାଶ ପାଇଁ ପେସା ଆଇନ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି । ରାଜ୍ୟର ବିକାଶ ନିମନ୍ତେ ୨୦୨୯, ୨୦୩୬ ଏବଂ ୨୦୪୭କୁ ତିନୋଟି ମାଇଲଖୁଣ୍ଟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ବିକଶିତ ଭାରତର ବିସ୍ତୃତ ସ୍ୱରୂପ ମଧ୍ୟରେ ଆମକୁ ଓଡ଼ିଶାର ବିକାଶକୁ ଆଗେଇ ନେଇ ୨୦୩୬ ମଧ୍ୟରେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡ଼ିବ । ଆଗାମୀ ଦୁଇ ଦଶନ୍ଧି ଓଡ଼ିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ ।

ଏହି ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ପ୍ୟାରେଡ୍‌ ୫୮ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ, ସୀମା ସୁରକ୍ଷା ବଳ, ସିଆରପିଏଫ, ଆଇଟିବିପି, ଏସଓଜି ଚନ୍ଦକା, ଛତିଶଗଡ଼ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍‌କ୍ରସ, ଅଶ୍ୱାରୋହୀ ପ୍ରଭୃତି ଯୋଗଦେଇଥିଲେ । ବଲାଙ୍ଗିରର ଅମି୍ରତ ପାଲ୍‌ କୌର, (ଭାରତୀୟ ପୋଲିସ ସେବା ଅଧିକାରୀ) ପ୍ୟାରେଡ୍‌ ପରିଚାଳନା କରିଥିଲେ ।

          ୨୦୨୪ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍‌ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ । ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ଏସଓଜି ଚନ୍ଦକା, ଶ୍ରେଷ୍ଠ ରାଜ୍ୟ ପୁଲିସ ଭାବେ ଓଡ଼ିଶା ସ୍ୱିଫଫ ଆକ୍ସନ ଫୋର୍ସକୁ, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନସିସି ବାଳକ ଓ ବାଳିକା ପ୍ଲାଟୁନ, ଶ୍ରେଷ୍ଠ କନିଷ୍ଠ ଏନ୍‌ସିସି ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଭୁବନେଶ୍ୱର, ଶ୍ରେଷ୍ଠ ଅଣ-ଏନ୍‌ସିିସି ସ୍କୁଲରେ ସେଣ୍ଟ ଜାଭିୟର୍‌ ହାଇସ୍କୁଲ ଖଣ୍ଡଗିରି (ବାଳିକା), ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍‌ ଗାର୍ଲସ୍‌ ହାଇସ୍କୁଲ, ୟୁନିଟ୍‌-୨ ପୁରସ୍କୃତ ହୋଇଥିଲେ । ସେହିପରି ୨୦୨୪ ଜାନୁଆରୀ ୨୬ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ପ୍ରଜ୍ଞାପନ ମେଢ଼ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ‘ନୂଆ ଓଡ଼ିଶା ମିଶନ୍‌ ଓ ସୁଦକ୍ଷା ଯୋଜନା’ ପ୍ରଥମ ପୁରସ୍କାର ପାଇଥିବାବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ‘ପୂଜାସ୍ଥଳୀଗୁଡ଼ିକର ଉନ୍ନତିକରଣ-ଜାହିରା’ ଦ୍ୱିତୀୟ ପୁରସ୍କାର ପାଇଥିଲେ । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ‘ଗ୍ରାମୀଣ ରୂପାନ୍ତରଣ’ ତୃତୀୟ ପୁରସ୍କାର ଏବଂ ଓଡ଼ିଶା ଖଣି ନିଗମ ‘ସଷ୍ଟେନେବୁଲ୍‌ ମାଇନିଂ’ ପାଇଁ ଚତୁର୍ଥ ପୁରସ୍କାର ପାଇଥିଲେ ।

         ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ-୨୦୨୪ ଅବସରରେ ରାଜ୍ୟର ପ୍ରଗତିରେ ଉତ୍ତମ ଯୋଗଦାନ ଦେଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସଂସ୍ଥାମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । କଟକର ଭୁବନାନନ୍ଦ ଓଡ଼ିଶା ଇଂଜିନିୟରିଂ ସ୍କୁଲ, ବ୍ରହ୍ମପୁର ସରକାରୀ ଆଇଟିଆଇ, କେନ୍ଦ୍ରାପଡ଼ା ସରକାରୀ ପଲିଟେକ୍‌ନିକ୍‌ ସମେତ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ରହ୍ମପୁର ଆଇଟିଆଇର ଇଲେକ୍‌ଟ୍ରୋନିକସ୍‌ ମେକାନିକ୍‌ ବିଭାଗର ପି. କୁମାରୀ ଓ ଟେକ୍‌ନିକ୍‌ସିଆନ୍‌ ଅନୁରାଗ୍‌ ମାଇକେଲ୍‌, ବାଲେଶ୍ୱର ଆଇଟିଆଇର ପ୍ରୀତମ୍‌ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଛତିଶଗଡ଼ ପୋଲିସକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ସମାପ୍ତ ହେବା ପରେ ପ୍ୟାରେଡ୍‌ କମାଣ୍ଡର କ୍ୱାମୀନାରା ଓ ଜୟହିନ୍ଦ୍‌ର ଧ୍ୱନୀ ଦେଇଥିଲେ । ଉତ୍ସବସ୍ଥଳରୁ ସମସ୍ତ ପ୍ୟାରେଡ୍‌ ଦଳ ପ୍ରସ୍ଥାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ମଞ୍ଚରୁ ପ୍ରସ୍ଥାନ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ତଥା ବିଭାଗର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଆ ଅସ୍ମିତାର ନିଦର୍ଶନ ରୂପେ ଉତ୍ସବସ୍ଥଳକୁ ବରପୁତ୍ରମାନଙ୍କର ଫଟୋଚିତ୍ରରେ ସୁସଜ୍ଜିତ କରାଯାଇଥିଲା ।

ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ରୋଜାଲିନ୍‌ ସାହୁ ଓ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *