ବରଗଡ଼,୧୫/୮/୨୦୨୪ (ଓଡ଼ିଶା ସମାଚାର / ନିରଞ୍ଜନ ତ୍ରିପାଠୀ ): ଆଜି ଦେଶ ପାଳୁଛି ୭୮ ତମ ସ୍ବାଧିନତା ଦିବସ । ଏନେଇ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି । ଏହାରି ମଧ୍ୟରେ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ସେ ଶହୀଦ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହିତ ଦେଶ ମାତୃକାର ପାଇଁ ତାଙ୍କର ବଳିଦାନ ଅତୁଳନୀୟ ବୋଲି କହିବା ସହ ଆଗାମୀ ଦିନରେ ଦେଶକୁ ସୁଦୃଢ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥର ୩୬ ଟି ଟ୍ରୁପ ପ୍ୟାରେଡ଼ରେ ଭାଗ ନେଇଥିଲେ । ଏହି ଅବସରରେ ଭିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।