ଶାନ୍ତି ମୈତ୍ରୀ ରେ ଆପେଡାର ରପ୍ତାନି ଭିତ୍ତିକ ପ୍ରଶିକ୍ଷଣ ଶିବିର  

ପାଟକୁରା ୨୧/୦୪/୨୦୨୬ (ଓଡିଶା ସମାଚାର )- ଆଜି ଗରଦପୁର ବ୍ଳକ ଅଧୀନ ବିଚଣା ଶାନ୍ତିମୈତ୍ରୀ  ସ୍ବେଛାସେବୀ ସଂଗଠନ ସଭା ଗୃହରେ ଭାରତ ସରକାରଙ୍କ କୃଷି ରପ୍ତାନି ବିକାଶ ସନ୍ଥା (ଆପେଡା )ର ଏକ ରପ୍ତାନି ଭିତ୍ତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ଶିବିରରେ ଆପେଡାର ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ ଉପସ୍ଥିତ ରହି କହିଥିଲେ ଯେ କୃଷକ ଉତ୍ପାଦକ ସଂଗଠନ କମ୍ପାନୀ ଗୁଡିକୁ ରପ୍ତାନି ସହ ଯୋଡିବା ଓ କୃଷକ ମାନଙ୍କୁ ଅଧିକ ସଚେତନ କରି ସେମାନଙ୍କ ଆୟ ବୃଦ୍ଧି କରାଇବା ହେଉଛି ଏହି ପ୍ରଶିକ୍ଷଣ ଶିବିରର ମୁଳଲକ୍ଷ୍ୟ । ସ୍ଥାନୀୟ ଅଂଚଳରେ ଉନ୍ନତ ମାନର ଉତ୍ପାଦାନ ସାମଗ୍ରୀ ବାହାର କରିବା ଓ ସେଗୁଡିକୁ ଅଧିକ ମୂଲ୍ୟରେ ଚାହିଦା ଥିବା ବିଦେଶ ବଜାରରେ ବିକ୍ରୟ କରାଯାଇପାରିଲେ କୃଷକ ମାନେ ଅଧିକ ଲାଭବାନ ହୋଇ ପାରିବେ ଓ ସେମାନଙ୍କ ଆୟ ଦ୍ବିଗୁଣିତ ହୋଇପାରିବ ବୋଲି ସୀତାକାନ୍ତ ମଣ୍ଡଳ ସୂଚନା ଦେଇଥିଲେ ।

ଏଥିପାଇଁ ସ୍ଥାନୀୟ କୃଷକ ଉତ୍ପାଦକ ସଂଗଠନ ଗୁଡିକର ଅଧିକ ଭୂମିକା ରହୁଛି । କୃଷକ ମାନେ କୃଷକ ଉତ୍ପାଦକ ସଂଗଠନର ସଭ୍ୟ ରହିବେ ଓ. ସେହି ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କ ଉତ୍ପାଦକ ସାମଗ୍ରୀ ଗୁଡିକୁ ବିଦେଶ ବଜାରରେ ଅଧିକ ମୂଲ୍ୟରେ ବିକ୍ରିକରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ବଢ଼ାଇପାରିବେ । ଉନ୍ନତ ମାନର ଉତ୍ପାଦକ ବଢାଇବା ପାଇଁ କୃଷକ ମାନଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡିବ ବୋଲି ସୀତାକାନ୍ତ ମଣ୍ଡଳ ପରାମର୍ଶ ଦେଇଥିଲେ । କୃଷି ପଣ୍ୟ ରପ୍ତାନି କ୍ଷେତ୍ରରେ ଆପେଡା ତରଫରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ସେ କହିଥିଲେ  ।

ଏବେ ୭୮୫ଗୋଟି ଉତ୍ପାଦକ ସାମଗ୍ରୀ ବିଦେଶ କୁ ରପ୍ତାନି କରାଯାଉଛି ।  ଉକ୍ତ କ୍ଷମତା ବିକାଶ କାର୍ଯ୍ୟକ୍ରମରେ ଦଶ ଗୋଟି କୃଷକ ଉତ୍ପାଦକ ସଂଗଠନର କର୍ମ କର୍ତ୍ତା, ସ୍ଥାନୀୟ ଅଂଚଳରୁ ପ୍ରଗତିଶୀଳ କୃଷକ ମାନେ ଭାଗ ନେଇଥିଲେ । ଜିଲା କୃଷି ଅଧିକାରିଣୀ ମାନସୀ ମଧୁବାସିନୀ, ଉଦ୍ୟାନବିତ୍ତ ଶ୍ରୀରାମ ରତନ ପ୍ରଧାନ ଓ ଶାନ୍ତିମୈତ୍ରୀ ସମ୍ପାଦକ ଭଗବାନ ଜେନା ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ଉପାଦେୟ ପରାମର୍ଶ ମାନ ଦେଇଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାରୁ କୃଷି ପଣ୍ୟ ତଥା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ସୁସ୍ୱାଦୁ ରସାବଳୀ ବିଦେଶ ବଜାରରେ ବିକ୍ରୟ କରାଯିବା ପାଇଁ ବ୍ୟବସ୍ଥା ହେଉଥିବା କଥା ଅଧିକାରୀ ମାନେ ଆଲୋଚନା କରିଥିଲେ । ସମ୍ପାଦକ ଭଗବାନ ଜେନା ଶିବିର ପରିଚାଳନା କରିଥିଲେ ଓ ଏଭଳି କ୍ଷମତା ବିକଶିତ ଶିବିର ଦ୍ୱାରା କୃଷକ ମାନେ ଉପକୃତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *