ନିମାପଡ଼ା ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ୮ଜଣ କାଉନସିଲର ଙ୍କ  ଆବେଦନ

ନିମାପଡ଼ା, ୧୨/୮/୨୦୨୪ (ଓଡ଼ିଶା ସମାଚାର)- ସରକାରୀ ଅର୍ଥ ତୋଷରପାତ,ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ରହିବା ସହ ମନମୁଖୀ ଶାସନ ଆଦି ଅଭିଯୋଗ ନେଇ ନିମାପଡ଼ା ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ୮ଜଣ କାଉନସିଲର ଆବେଦନ କରିଛନ୍ତି। ୧୧ଜଣ ସଭ୍ୟସଭ୍ୟାଙ୍କୁ ନେଇ ଗଠିତ ନିମାପଡ଼ା ଏନଏସିର ଅଧ୍ୟକ୍ଷା ସସ୍ମିତା ସାହୁ ଏବଂ ପରିଷଦର ୮ଜଣ କାଉନସିଲରଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ତିକ୍ତତା ଶେଷରେ ଅନାସ୍ଥାପ୍ରସ୍ତାବର କାରଣ ପାଲଟିଥିବା ଜଣା ପଡ଼ିଛି। ପୌର ନିୟମ ଅନୁଯାୟୀ କାଉନସିଲ ସାଧାରଣ ବୈଠକ ମାସକୁ ଥରେ ହେବାକୁ ଥିବାବେଳେ ଅଧ୍ୟକ୍ଷା ଜାଣିଶୁଣି ଏଥିରେ ବ୍ୟତିକ୍ରମ କରି ଗତ ଦୁଇବର୍ଷ ମଧ୍ୟରେ ମାତ୍ର ୭ଥର ବୈଠକ ଡକାଇଥିବାର କାରଣ ଦର୍ଶାଇଛନ୍ତି ୮ଜଣ କାଉନସିଲର। ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ କରାଯାଇଥିବା ଆବେଦନରେ ଅଧ୍ୟକ୍ଷାଙ୍କ କାର୍ଯ୍ୟରେ ଅନିୟମିତତାକୁ ମୁଖ୍ୟପ୍ରସଙ୍ଗ କରାଯାଇଥିବା ବେଳେ ଅଧ୍ୟକ୍ଷାଙ୍କ ମନମୁଖୀ ନିଷ୍ପତ୍ତି,ଏକଛତ୍ରବାଦ ଶାସନ,କଟୁ ବାକ୍ୟ, ତିକ୍ତ ବ୍ୟବହାର, ସରକାରୀ ଅର୍ଥ ତୋଷରପାତ,ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ରହିବା ସହ ଅନେକ ସମୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା  ମୁଖ୍ୟ କାରଣ ବୋଲି କାଉନସିଲର ମାନେ ଅଭିଯୋଗ କରିଛନ୍ତି। ଆଜି ଏନଏସି ଉପ ନଗରପାଳ ସନ୍ତୋଷ ଦାଶଙ୍କ ଅଧ୍ୟକ୍ଷତାରେ ପରିଷଦର ୮ଜଣ ସଭ୍ୟସଭ୍ୟାଙ୍କୁ ନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶଙ୍କ ସମେତ କବିତା ପ୍ରଧାନ, ନିରଞ୍ଜନ ନାୟକ, ଅନୁସୂୟା ପାଣି, ନିବେଦିତା ପଟ୍ଟନାୟକ, କବିତା ତରାଇ, ରଞ୍ଜିତା ପାତ୍ର,ରାଜକିଶୋର ସାହୁ ପ୍ରମୁଖ ସଭ୍ୟ ସଭ୍ୟା ଜିଲ୍ଲାପାଳ ଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *