ବିକଶିତ ଓଡିଶା ତଥା ବିକଶିତ ଭାରତର ଲକ୍ଷ୍ୟ ସାଧନରେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସଚିବଙ୍କ ସହିତବିସ୍ତୃତ ଆଲୋଚନା
ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶାପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ ରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲରେ ରାଜ୍ୟର ଭିଜନ ଡକ୍ୟୁମେଣ୍ଟ କିପରି ରହିବ, ଏ ସଂପର୍କରେ ଭୁବନେଶ୍ୱର ଆସିଥିବା ନୀତିଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର. ସୁଭ୍ରମଣ୍ୟମ ଏବଂ ସାଥିରେ ଆସିଥିବା ଟିମର ସଦସ୍ୟମାନେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ ବିଭିନ୍ନ ବିଭାଗର ସଚିବଙ୍କମଧ୍ୟରେ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ବୈଠକରେ ବିକଶିତ ଓଡିଶାର ଯୋଗଦାନ, କିପରି ବିକଶିତ ଭାରତ୨୦୪୭ର ସ୍ୱପ୍ନକୁ ସାକାର କରିବାରେପ୍ରମୁଖ ଭୂମିକା ଗ୍ରହଣ କରିବ, ସେ ସଂପର୍କରେ ଆଲୋଚନା କରାଯାଇଛି ।
ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଟିମର ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ସମ୍ବଳ ଏବଂ ବିକାଶର ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉଜ୍ଜ୍ୱଳ ସମ୍ଭାବନା ସଂପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ । ଦୀର୍ଘ ୨ ଦଶନ୍ଧି ଧରି ଓଡ଼ିଶାର ଅର୍ଥନୈତିକ ପ୍ରଗତି ସଂପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେଏହା ଓଡିଶାର ବିକାଶ ସାଙ୍ଗକୁ ବିକଶିତ ଭାରତ ଗଠନରେ ପ୍ରମୁଖ ଯୋଗଦାନ କରିବ ବୋଲି ସେ ଆଶା ପୋଷଣ କରିଥିଲେ । ଓଡିଶାର ନବ ନିର୍ବାଚିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡିଶା ସଙ୍ଗେ ସଙ୍ଗେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ରାଜ୍ୟର ଉତ୍ସର୍ଗୀକୃତ ପ୍ରଶାସନିକ ଟିମର ପ୍ରତିବଦ୍ଧତାର ସହ କାର୍ଯ୍ୟଏ ଦିଗରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ବୈଠକ ପରିପ୍ରେକ୍ଷୀରେ ଓଡ଼ିଶାର ଅର୍ଥନୈତିକ ସ୍ଥିତି, ଜନ ସଂଖ୍ୟା, ଜଙ୍ଗଲ, ଖଣିଜ ସଂପଦ,ଶିଳ୍ପ, ସାମୁଦ୍ରିକ ବେଳାଭୂମି, ମୁଣ୍ଡ ପିଛା ଆୟ, ପ୍ରଗତିଶୀଳ ଅର୍ଥନୀତି, ବଳକା ଖାଦ୍ୟ ଶସ୍ୟ ଉତ୍ପାଦନ, ଭିତ୍ତିଭୂମି, ରେଳ ସଂଯୋଗୀ କରଣ, ବିମାନବନ୍ଦର, ଶକ୍ତି କ୍ଷେତ୍ର, ସବୁଜ ଶକ୍ତି ଆଦିରେ ରହିଥିବା ସ୍ଥିତି ଓ ଆଗାମୀ ଦିନରେ ରହିଥିବା ବ୍ୟାପକ ସମ୍ଭାବନା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ସାଧନରେ ଜିଲ୍ଲାସ୍ତରୀୟ ଢାଞ୍ଚା ପ୍ରସ୍ତୁତି ଓ ରାଜ୍ୟସ୍ତରରେ ଏସଡିଜି କକ୍ଷ କାର୍ଯ୍ୟ କରୁଥିବା ସଂପର୍କରେ ସେ ପ୍ରକାଶ କରିଥିଲେ ।
ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓଡିଶା ତଥା ଦେଶର ବର୍ତ୍ତମାନର ସ୍ଥିତି ଓ ଆଗାମୀ ୨୦୩୬ସୁଦ୍ଧା ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାରେ ରହିଥିବା ଟିମ୍ ଆନ୍ତରିକତାର ସହ ପୂର୍ଣ୍ଣ ସମୟ ଦେଇ କାର୍ଯ୍ୟ କରିବାକୁ ସେ କହିଛନ୍ତି । ସବୁ ବିଭାଗର ସମନ୍ୱୟରେ ପ୍ରସ୍ତୁତ ହେବାକୁ ଥିବା ଭିଜନ ଡକ୍ୟୁମେଣ୍ଟ ସାମୁହିକ ଦସ୍ତାବିଜ ହେବ । ସାମାଜିକ କ୍ଷେତ୍ରରେ ଉନ୍ନତି ସହ ଓଡ଼ିଶାର ସଂଖ୍ୟାବହୁଳ ଜନଜାତି ବର୍ଗର ବିକାଶ ପାଇଁ ଅଧିକ କାମ କରିବାର ଅଛି । ସେହିପରି କ୍ରମବର୍ଦ୍ଧିଷ୍ଣୁ ସହରୀକରଣର ଆବଶ୍ୟକତା ଦୃଷ୍ଟିରୁ ବୃହତ ସହରାଞ୍ଚଳ କ୍ଲଷ୍ଟର, ଶିକ୍ଷାଗତ ଢାଞ୍ଚା ପରିବର୍ତ୍ତନ , ନିରନ୍ତର ବିକାଶ କାର୍ଯ୍ୟକ୍ରମ ସହ ଜନସାଧାରଣ ଭଲଭାବେ ବଞ୍ଚିବା ଓ ଭଲ ରୋଜଗାର ଉପରେ ସେ ଗୁରୁତ୍ୱରୋପ କରିଥିଲେ । ନୀତି ଆୟୋଗ ଟିମର ଅନ୍ୟ ବିଶେଷଜ୍ଞ ସଦସ୍ୟମାନେ ୨୦୩୬ ରେ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସାଧନରେ କୃଷି, ଶିଳ୍ପଆଦି କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଆହ୍ୱାନର ମୁକାବିଲା ଏବଂ ସର୍ବୋପରି ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯେଉଁ ବ୍ୟାପକ ଜାତୀୟ ଦୃଷ୍ଟିକୋଣ ରହିଛି, ଏହି ଆଧାରରେ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ ।
ଭିଜନ ଡକ୍ୟୁମେସନ ପ୍ରସ୍ତୁତ ପାଇଁ ୩ ମାସ ସମୟ ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇଛି । ଏହି ସମୟ ମଧ୍ୟରେ ଭିଜନ ଡକ୍ୟୁମେଣ୍ଚ ପ୍ରସ୍ତୁତି ସଂପର୍କରେ ନିତି ଆୟୋଗ ରାଜ୍ୟର ସମସ୍ତ ସଚିବସ୍ତରରେ ଆଲୋଚନା କରିବେ ।ଏଥିପାଇଁ ପ୍ରତିଦିନ ସମନ୍ୱୟ କରିବା ପାର୍ଇ ରାଜ୍ୟସ୍ତରରେ ଏକ ଷ୍ଟିଅରିଂ କମିଟି ଗଠନ ହେବ । ଜନସାଧାରଣଙ୍କ ପରାମର୍ଶ ନିଆଯିବା ସହ ବିଭିନ୍ନ ସାପ୍ତାହିକ ବୈଠକ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତିକରିବାକୁ କୁହାଯାଇଛି । ବୈଠକରେଗୃହ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସଚିବମାନେ ରାଜ୍ୟରେ ଫସଲ ବିବିଧିକରଣ , କୃଷି ଯାନ୍ତ୍ରିକୀକରଣ, ବିପର୍ଯ୍ୟୟ ମୁକାବିଲାକୁ ପୋକସ, ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ, ବିଭିନ୍ନ କ୍ଷେତ୍ରରେ ରହିଥିବା ସମସ୍ୟା , ସେସବୁର ସମାଧାନ ଓ ସମ୍ଭାବନା ଉପରେ ନୀତିଆୟୋଗ ପ୍ରତିନିଧିଙ୍କ ଠାରେ ଉପସ୍ଥାପନ କରିଥିଲେ ।