ହାଇଦ୍ରାବାଦସ୍ଥିତ ଆମେରିକାର କନ୍‌ସୁଲ ଜେନେରାଲ ଜେନିଫର ଲାରସନ୍‌ଙ୍କ ସହ ଶିଳ୍ପମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା

ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୦୮ ମସିହାରେ ପ୍ରଥମ କରି ହାଇଦ୍ରାବାଦଠାରେ ଆମେରିକାର କନ୍‌ସୁଲ ଜେନେରାଲ ଅଫିସ ସ୍ଥାପିତ ହୋଇଥିଲା । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ନେଇ ଏହି ହାଇଦ୍ରାବାଦ କନ୍‌ସୁଲେଟ୍‌ ଅଫିସ କାର୍ଯ୍ୟ କରି ଆସୁଛି । ମୁଖ୍ୟତଃ ଭାରତର ଅଧିବାସୀ ଓ ଭାରତ ସରକାରଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି କନ୍‌ସୁଲ ଜେନେରାଲ କାର୍ଯ୍ୟ କରିଆସୁଛି । ଏହା ବ୍ୟତୀତ ଏହି ତିନିଗୋଟି ରାଜ୍ୟର ବ୍ୟବସାୟ ବାଣିଜ୍ୟ ସହ ମଧ୍ୟ କନ୍‌ସୁଲ ଜେନେରାଲ ଅଫିସ ସୁସମ୍ପର୍କ ରଖିଥାଏ ।

ଓଡ଼ିଶା ସହ ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ହାଇଦ୍ରାବାଦର କନ୍‌ସୁଲ ଜେନେରାଲ ମୁଖ୍ୟ ଜେନିଫର ଲାର୍ସନ ରାଜ୍ୟ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଦେଖାକରି ରାଜ୍ୟରେ ଶିଳ୍ପର ସମ୍ଭାବନା, ଶିଳ୍ପଭିତ୍ତିକ ନିଯୁକ୍ତି ଓ ରପ୍ତାନୀ-ଆମଦାନୀ, ଖଣିଜ ପଦାର୍ଥ ରପ୍ତାନୀ- ଆମଦାନୀ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା କାଳରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ପାରାଦ୍ୱୀପ ହିଁ ଭାରତର ଦ୍ୱିତୀୟ ସର୍ବୋତ୍ତମ ଓ ସର୍ବବୃହତ ବନ୍ଦର । ଏହି ବନ୍ଦର ବାଟ ଦେଇ ବିଭିନ୍ନ ଖଣିଜ ଦ୍ରବ୍ୟ, ପେଟ୍ରୋକେମିକାଲ, କେମିକାଲସ୍‌, ସି-ଫୁଡ୍‌, ମାଙ୍ଗାନିଜ ଓ ଆଇରନ୍‌ ଓର୍‌ ଦେଶର ଅନ୍ୟାନ୍ୟ ସ୍ଥାନ ତଥା ବିଦେଶ ଯଥା-ଚୀନ, ଜାପାନ, ମ୍ୟାଲେସିଆ, ଭିଏତନାମ୍‌, ଇଣ୍ଡେନେସିଆ, ମଙ୍ଗୋଲିଆ ଆଦି ସ୍ଥାନକୁ ରପ୍ତାନୀ ହେଉଛି । କେଉଁଝର, ସୁନ୍ଦରଗଡ଼, ଯାଜପୁର, ସମ୍ବଲପୁର ଆଦି ସ୍ଥାନରୁ ପାରାଦ୍ୱୀପ, ଧାମରା ଓ ଗୋପାଳପୁର ପୋର୍ଟ ମଧ୍ୟ ଦେଇ ଏହି ରପ୍ତାନୀ କାରବାର ହେଉଛି । ଓଡ଼ିଶାରେ ଲଜିଷ୍ଟିକ୍‌ ମାଇନିଂ ବା ମେକାନାଇଜେସନ୍‌ ଅଫ୍‌ ମାଇନିଂ ହେବା ସହ ଡିଜିଟାଇଜେସନ୍‌ ଅଫ୍‌ ମାଇନିଂ କାର୍ଯ୍ୟକ୍ରମ ଚାଲୁ ରହିଛି ।

ଏହି ଅବସରରେ ଇଡ୍‌କୋ ଅଧ୍ୟକ୍ଷ ଶ୍ରୀ ଭୂପିନ୍ଦର ସିଂ ପୁନିଆ କହିଥିଲେ ଯେ ସିଙ୍ଗାପୁର ଢାଞ୍ଚାରେ ଆମେ ଓଡ଼ିଶାରେ ଦକ୍ଷତା ମାନବସମ୍ବଳ ସୃଷ୍ଟି କରିବା ସହ ବିକାଶ କରିଛୁ । ଦକ୍ଷ, ଶୃଙ୍ଖଳିତ ମାନବସମ୍ବଳ ଆମର ଏକ ବଡ଼ ସଫଳତା । ଦକ୍ଷ ମାନବସମ୍ବଳ ନେଇ ଆମେ ମ୍ୟାଲେସିଆ, ଭିଏତ୍‌ନାମ୍‌ରେ ଇଲେକ୍‌ଟ୍ରୋନିକ୍ସ ଓ ସେମିକଣ୍ଡକଫର ଶିଳ୍ପରେ ଆଗୁଆ ଅଛୁ । ଏହି ଅବସରରେ ଜେନିଫର ଲାର୍ସନ୍‌ ଓ ତାଙ୍କର ୬ ଜଣିଆ ଟିମ୍‌କୁ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପଢୌକନ ତଥା କଟକର ପ୍ରସିଦ୍ଧ ତାରକସି କାର୍ଯ୍ୟର ଏକ ବୋଇତ ପ୍ରଦାନ କରିଥିଲେ । ଜେନିଫରଙ୍କ ଟିମ୍‌ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ତାଙ୍କର ଅଫିସରମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *