କେନ୍ଦ୍ରାପଡ଼ା, ୫/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା – ବସପୁର ପୂର୍ତ ବିଭାଗ ରାସ୍ତାର ମାହାରାକୂଳ ଠାରୁ ବସପୁର ପର୍ଯ୍ୟନ୍ତ ଅଂଶ ଜଳସେଚନ ବିଭାଗ ଅଧିନରେ ରହିଛି । ଜଳସେଚନ ବିବାଗ ଅଧିନରେ ଥିବା ମାତ୍ର ୭ଶହ ମିଟର ରାସ୍ତାକୁ ସିମେଂଟ ଙ୍କକ୍ରୀଟ ରାସ୍ତା ଭାବରେ ୭୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ରାସ୍ତା ନିର୍ମାଣର ବର୍ଷେ ନପୁରୁଣୁ ସେହି ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯିବା ଆସିବା କରିଥାନ୍ତି । ଏତଦବ୍ୟତିତ କେନ୍ଦ୍ରାପଡା ଜିଲାର ଗରଦପୁର ବ୍ଲକ ଓ ମାର୍ଶାଘାଇ ବ୍ଲକ ସମେତ ଡେରାବିଶ ବ୍ଲକର ବିଭିନ୍ନ ପଂଚାୟତରୁ ଜିଲା ମୁଖ୍ୟାଳୟକୁ ଡାକ୍ତରଖାନା, କୋର୍ଟକଚେରୀ ଭଳି ବିଭିନ୍ନ କାର୍ଯ୍ୟରେ ଦୈନିକ ୫ହଜାରରୁ ଅଧିକ ଲୋକ ଯାତାୟତ କରିଥାନ୍ତି । ଏହି ରାସ୍ତାଟି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବରେ ପରିଗଣିତ ହୋଇଥିବା ବେଳେ ଏହି ରାସ୍ତା ଦେଇ ବସ, ଟ୍ରକ୍, ଅଗ୍ନିଶମ ବିଭାଗ ଗାଡି, ଆମ୍ବୁଲାନ୍ସ ସମେତ ଚାରିଚକିଆ, ତିନିଚକିଆ ଓ ଦୁଇ ଚକିଆ ଗାଡି ଗୁଡିକ ହଜାର ହଜାର ସଂଖ୍ୟାରେ ଦୈନିକ ଯାତାୟତ କରିଥାନ୍ତି । ଖାଲଖମାରେ ପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୂର୍ଘଟଣାମାନ ଘଟି ଧନଜୀବନ ହାନୀ ହେବାରେ ଲାଗିଛି । ଏଭଳି ଏକ ଗୁରୁତ୍ୱ ବହନ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତା ନିର୍ମାଣର ବର୍ଷେ ନପୁରୁଣୁ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହେବା ସହିତ ସେହି ରାସ୍ତାରୁ ଗୋଡି ବାଲି ଉଠି ଯାଇଥିବାର ଦେଖାଯାଇଛି । ଫଳରେ ସେହି ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ରାସ୍ତାର ତୁରନ୍ତ ମରାମତି କରାଯିବାକୁ ଜିଲାପାଳଙ୍କ ନିକଟରେ ଅଂଚଳବାସୀ ଦାବି କରିଛନ୍ତି । ଏସମ୍ପର୍କରେ ଜଳସେଚନ ସବଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ଧରଣୀଧର ବେହେରାଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କୁହନ୍ତି ଯେ ସେହି ରାସ୍ତା ଦେଇ ବାଲି ଟ୍ରକ ଚାଲୁଥିବାରୁ ରାସ୍ତାର ଅବସ୍ଥା ଏପରି ହୋଇଛି । କିନ୍ତୁ ଅଂଚଳବାସୀ କୁହନ୍ତି ଯେ ସିମେଂଟ ଙ୍କକ୍ରିଟ ରାସ୍ତା ଉପରେ ବାଲି ଟ୍ରକ୍ ଚାଲିଲେ ଏଭଳି ହେବନାହିଁ. ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଇଥିବାରୁ ଖୁବ କମ ଦିନ ମଧ୍ୟରେ ରାସ୍ତାଟି ଖାଲଖମାରେ ଭର୍ତି ହୋଇଯାଇଛି ।