ଭୁବନେଶ୍ୱର,୦୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜାତୀୟ ଚିତ୍ରକଳା ସମ୍ମିଳନୀ “କ୍ୟାନଭାସ ପରେ : କଳାର ନୂଆ ପରିଚୟ ୨୦୩୬- ପରମ୍ପରା, ପ୍ରଯୁକ୍ତି ଓ ପରିବର୍ତ୍ତନ” ଆଜି ଉଦ୍ଯାପିତ ହୋଇଯାଇଛି। ମାର୍ଚ୍ଚ ୬ ଓ ୭ ତାରିଖ ଦୁଇ ଦିନ ଧରି କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଜାତୀୟ ଚିତ୍ରକଳା ସମ୍ମିଳନୀରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ଜଗନ୍ନାଥ ପଣ୍ଡା, ଶ୍ରୀ ପ୍ରବୀର ଦଳାଇ, ଶ୍ରୀ ଜ୍ଞାନେଶ ମିଶ୍ର, ଶ୍ରୀ ନାନକ ଗାଙ୍ଗୁଲି, ଶ୍ରୀ ଆର ମୋହନ ସୁନ୍ଦରମ୍, ଶ୍ରୀ ଯତୀନ ଦାସ, ଶ୍ରୀ ଅଲେଖ ଚରଣ ସାହୁ, ଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ଶ୍ରୀ ଦର୍ଶନ ଶତପଥୀ, ଶ୍ରୀ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଓଡ଼ିଶାର ପାରମ୍ପରିକ ଚିତ୍ରକଳା, କୃତ୍ରିମ ବୁଦ୍ଧିମତା ଯୁଗରେ ଚିତ୍ରକଳାର ଭବିଷ୍ୟତ, ବିଭିନ୍ନ ମନ୍ଦିରର ମୂର୍ତ୍ତି କାରିଗରୀ, ଓଡ଼ିଶାର ସମୃଦ୍ଧ କଳା ଓ ସ୍ଥାପତ୍ୟ ସହିତ ବର୍ତ୍ତମାନ ସମୟରେ ଚିତ୍ରକଳା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଗ୍ରାଫିକ୍ସ ସଫ୍ଟୱେୟାର ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଚିତ୍ରକଳାକୁ ନେଇ କିପରି ନିଜର ଭବିଷ୍ୟତ ନିର୍ମାଣ କରିହେବ ସେ ସମ୍ବନ୍ଧରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସମସ୍ତ ଚିତ୍ରଶିଳ୍ପୀମାନଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ କହିଥିଲେ ଯେ, “ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ ଚିତ୍ରକଳା ସମ୍ମିଳନୀ ଛାତ୍ରଛାତ୍ରୀମାନଙ୍କୁ ଆମ ରାଜ୍ୟର ବିଭିନ୍ନ ପାରମ୍ପରିକ ଚିତ୍ରକଳା ସହ ଆଜିର କୃତ୍ରିମ ବୁଦ୍ଧିମତାର ଯୁଗରେ ଚିତ୍ରକଳା କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଭିନ୍ନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଅବଗତ କରାଇପାରିଛି। ଏଥିସହ ଆଜିର ପରିବର୍ତ୍ତିତ ସମୟରେ ଆମ ପାରମ୍ପରିକ ଚିତ୍ରକଳାକୁ ସରଂକ୍ଷିତ କରିବା ସହ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଯେପରି ଯୁବ ଚିତ୍ରଶିଳ୍ପୀମାନେ ଚିତ୍ରକଳା କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ, ସେ ସମ୍ବନ୍ଧରେ ଗୁରୁତ୍ୱାରୋପ କରାଯାଇଛି”।

ଓଡ଼ିଶା ଲଳିତ କଳା ଏକାଡେମୀର ଏହି ଦୁଇ ଦିବସୀୟ ଚିତ୍ରକଳା ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁଙ୍କ ସମେତ ସଂସ୍କୃତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
