ଯାଜପୁର ୩୦/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ ଗୃହରେ ଚଳିତ ବର୍ଷ ୭୮ତମ ଯାଜପୁର ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଅତିରିକ୍ତ ଜିଲାପାଳ ରାଜସ୍ବ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଏବଂ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ନ ଜେନାଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଜିଲାପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ତାଙ୍କ ବକ୍ତବ୍ୟରେ ପଡ଼ିଆରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ନିମନ୍ତେ ଏକ ସ୍ବତନ୍ତ୍ର ପ୍ଲାଟଫର୍ମ ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତାବ ପ୍ରଦାନ କରିଥିଲେ।ବୈଠକର ନିଷ୍ପତି ଅନୁଯାୟୀ ଜିଲା ସଦର ମହକୁମା ସ୍ଥ କୁସୂମା ପୁଷ୍କରଣୀ ସମ୍ମୁଖ ପଡ଼ିଆରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ । ସ୍ୱାଧୀନତା ଦିବସ କୁ ପ୍ରତ୍ୟେକ ସ୍ତରରେ ଯଥା ବିଦ୍ୟାଳୟ,ମହାବିଦ୍ୟାଳୟ, ବିଭିନ୍ନ ଉଦ୍ୟୋଗ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଇଚାରା ଓ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତି ସହ ପାଳନ ନିମିତ୍ତ ଆଲୋଚନା କରାଯାଇଥିଲା।ସେହିପରି ଜାତୀୟ ପତାକା କୁ ରାଷ୍ଟ୍ରୀୟ ସମ୍ମାନ ସହ ସୂର୍ୟ୍ୟୋଦୟ ପରେ ଉଡ଼ାଇବା ଓ ସୂର୍ୟ୍ୟାସ୍ତ ପୂର୍ବରୁ ଅବତରଣ କରିବାକୁ ରାଷ୍ଟ୍ରୀୟ ଫ୍ଲାଗ କୋଡ ନିୟମ ପାଳନ ପୂର୍ବକ ସମସ୍ତ କାର୍ୟ୍ୟାଳୟ, ଅନୁଷ୍ଠାନ ଓ ପ୍ରତିଷ୍ଠାନ ଯତ୍ନବାନ ହେବାକୁ ଅଧ୍ୟକ୍ଷ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ରୁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପ୍ରଚାର କରାଯିବ।ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ , ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ୟ୍ୟନ୍ତ ଚିତ୍ରାଙ୍କନ ଓ ମଧ୍ୟଇଂରାଜୀ ,ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା , ପ୍ରାଥମିକ ଠାରୁ ମହାବିଦ୍ୟାଳୟ ସ୍ତରରେ ଏବଂ ସାଧାରଣ ମହିଳା ଓ ପୁରୁଷ ବିଭାଗରେ କୁଇଜ୍ ପ୍ରତିଯୋଗିତା ଜିଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହେବ । ସେହିପରି ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ। ସ୍ୱାଧୀନତା ଦିବସ ପ୍ୟାରେଡ଼ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ନିମନ୍ତେ ଆସନ୍ତା ତା ୧୧.୦୮.୨୦୨୪ ରିଖ ସକାଳ ଘ ୧୦.୦୦ଟିକା ସମୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସାଂସ୍କୃତିକ ଦଳ ଚୟନ ନିମନ୍ତେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ପ୍ୟାରେଡରେ ଅଧିକ କଣ୍ଟିଜେଣ୍ଟ ହେଉଥିବାରୁ ଅଭ୍ୟାସ ପ୍ୟାରେଡରେ ଭଲ ପ୍ରଦର୍ଶନ କରୁଥିବା ପ୍ୟାରେଡ଼ ଦଳକୁ ସ୍ୱାଧୀନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଚୂଡାନ୍ତ ପାରେଡରେ ଅତିବେଶୀରେ ସର୍ବାଧିକ ୫୨ ଗୋଟି କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିବା ନିମନ୍ତେ ଅଧ୍ୟକ୍ଷ ବୈଠକରେ ନିଷ୍ପତି ଗ୍ରହଣ କରିଥିଲେ।ଅଭ୍ୟାସ ପ୍ୟାରେଡ଼ ତା ୧୧.୦୮.୨୦୨୪ ରିଖ ଠାରୁ ତା୧୨.୦୮ ୨୦୨୪ରିଖ ଅପରାହ୍ନ ଘ ୩.୦୦ଟିକା ଏବଂ ତା ୧୩.୦୮.୨୦୨୪ରିଖ ସକାଳ ଘ ୮.୦୦ଟିକା ସମୟରେ କୁଷୁମା ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ। ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଭାତ ଫେରି , ବ୍ଲକ ସଦମହକୁମାରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅନୁଷ୍ଠାନ, ପ୍ରତିଷ୍ଠାନ,ବ୍ୟାଙ୍କ କାର୍ୟ୍ୟାଳୟ, ବିଭିନ୍ନ ଉଦ୍ୟୋଗ ଆଦିରେ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ କରିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା। ସର୍ବୋପରି ପବିତ୍ର ସ୍ଵାଧୀନତା ଦିବସକୁ ଶାନ୍ତି ଶୃଙ୍ଖଳାର ସହ ଭାଇଚାରା ମାଧ୍ୟମରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକାଠି ହୋଇ ସ୍ୱାଧୀନତା ଦିବସ କୁ ସବୁ ସ୍ତରରେ ପାଳନ କରିବାକୁ ଜିଲାବାସୀଙ୍କୁ ଅଧ୍ୟକ୍ଷ ଆହ୍ଵାନ ଦେଇଥିଲେ। ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟ ବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ଦିନେଶ କୁମାର ସାହୁ, ଏସ ଡି ଓ, ରାସ୍ତା ଓ କୋଠା ବାଡ଼ି ଶ୍ରୀ ଭଗଵାନ ସାହୁ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ ପ୍ରଧାନ, ଜିଲା କ୍ରୀଡା ଅଧିକାରୀ ଶ୍ରୀ ଫକିର ମୋହନ ଟୁଡୁ, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରାଙ୍କ ସମେତ ବୁଦ୍ଧିଜୀବୀ ଶ୍ରୀ ସୁବାଷ ମହାପାତ୍ର, ଦିଗମ୍ବର କର, ବିମ୍ବାଧର ଧଳ, ଶ୍ରୀ ସୁଦୀପ୍ତ କୁମାର ପଣ୍ଡା,ଜିଲା ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଆଲୋକ କୁମାର ବନ୍ଧ ଏବଂ ଶିକ୍ଷକ, ଶିକ୍ଷଯତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।