କଟକ ସଦର, ୩୦/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ମଙ୍ଗଳବାର ସକାଳ ୯ ଟା ସୁଦ୍ଧା ମୁଣ୍ଡୁଳୀ ଵ୍ୟାରେଜରୁ ୨ ଲକ୍ଷ ୨୦ ହଜାର ୯୭୦ କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି। ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲିବା ପରେ ମହାନଦୀରେ ଚଳିତବର୍ଷର ପ୍ରଥମ ବନ୍ୟାଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବୁଧବାର ମଧ୍ୟ ରାତ୍ରରେ ମୁଣ୍ଡୁଳିରେ ବନ୍ୟାଜଳ ନିଷ୍କାସନ ହେବା ଆରମ୍ଭ କରିଛି। ଯାହା ଫଳରେ ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୁଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ମହାନଦୀର ଅବବାହିକାର ତଳମୁଣ୍ଡରେ ଥିବା ଜିଲ୍ଲାକୁ ସ୍ଵତନ୍ତ୍ର ରିଲିଫ କମିଶନର (ଏସଆରସି) ସତର୍କ କରାଇଛନ୍ତି। ମହାନଦୀ ଭିତରକୁ ଲୋକଙ୍କ ପ୍ରଵେଶ ନକରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି। ଆଗକୁ ଆହୁରି ଅନେକ ଗେଟ୍ ଖୋଲାଯିବା ସମ୍ଭାବନା ଥିବାବେଳେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି।