ଚଳିତ ବର୍ଷ ମହା ବାରୁଣୀ ଯୋଗରେ ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ପୂଣ୍ୟତୋୟା ବୈତରଣୀରେ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ।

ଯାଜପୁର, ୦୬/୦୪/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ମହା ବାରୁଣୀ ଯୋଗ ପଡିଥିବାରୁ ଯାଜପୁର ଜିଲା ସଦର ମହକୁମା ନିକଟସ୍ଥ ପୂଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ, ମହା ସ୍ମଶାନ ଘାଟ ଓ ବାଳାଶ୍ରମ ପଡିଆ ନିକଟ ନଦୀର ଉଭୟ ପାଶ୍ୱର୍ ଘାଟରେ ଆଜି ପ୍ରତୁ୍ୟଷରୁ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଏବଂ ଓଡିଶା ଓ ଓଡିଶା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ନଦୀରେ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥିଲେ । ଏଥି ନିମନ୍ତେ ଯାଜପୁର ଜିଲା ପ୍ରଶାସନ ଓ ପୌର ପ୍ରଶାସନର ମିଳିତ ଆନୁକୂଲ୍ୟରେ ଭକ୍ତ ଶ୍ରଦ୍ଧାଳୁ , ଆଧ୍ୟାତ୍ମିକ ଗୁରୁ ଓ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବୈତରଣୀରେ ବୁଡ ପକାଇବା ସ୍ଥାନ ଦଶାଶ୍ୱମେଧ ଘାଟ ଓ ମହାସ୍ମଶାନ ଘାଟର ଉଭୟ କୂଳରୁ ବାଳାଶ୍ରମ ପଡିଆ ପର୍ଯ୍ୟନ୍ତ ବାରିକେଡିଂ ବ୍ୟବସ୍ଥା କରାଯାଇଥିଲା । ଭକ୍ତ ଓ ଯାତ୍ରୀମାନେ ବାରିକେଡିଂର ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ସ୍ନାନ କରିବା ସହ ପିତୃପୁରୁଷ ଙ୍କୁ ପିଣ୍ଡ ଦାନ କରିସାରିବା ପରେ ପିଣ୍ଡ ସାମଗ୍ରୀ ଗୁଡିକୁ ପ୍ରଦୁ୍ୟଷଣ ରୋକିବା ନିମନ୍ତେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇଥିଲେ । ପ୍ରଶାସନ ତରଫରୁ ଆଲୋକିକରଣ ବ୍ୟବସ୍ଥା, ଯାତ୍ରୀ ମାନଙ୍କ ଯିବା ଆସିବା ନିମନ୍ତେ ଏକମୁଖୀ ରାସ୍ତା, ଯାତ୍ରୀ ମାନଙ୍କୁ ରୌଦ୍ରତାପରୁ ସୁରକ୍ଷା ନିମନ୍ତେ ଅସ୍ଥାୟୀ ଚାନ୍ଦୁଆ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ବାୟୋ ଟଏଲେଟ୍ ବ୍ୟବସ୍ଥା, ସୂଚନା କେନ୍ଦ୍ର ଓ ପୋଲିସ କଣ୍ଟ୍ରୋଲ ରୁମ୍, ଅସ୍ଥାୟୀ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର, ଆମ୍ୱୁଲାନ୍ସ ସେବା, ନଦୀ ଗର୍ଭରେ ଅଗ୍ନିଶମସେବା ବିଭାଗ ତରଫରୁ ପାୱାର ବୋଟ୍ ଓ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଥିଲା । ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ, ଯାଜପୁର ପୌର ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି ଏବଂ କର୍ମଚାରୀମାନେ ମହା ବାରୁଣୀ ସ୍ନାନ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ସାଧାରଣ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ମହା ବାରୁଣୀ ମେଳା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନଥିଲା । ଯାଜପୁର ଜିଲା ପ୍ରଶାସନ ନିର୍ଦ୍ଧେଶରେ ଜଳସେଚନ ବିଭାଗ, ପୂର୍ତ ବିଭାଗ, ପୌର ପରିଷଦ, ଅଗ୍ନିଶମସେବା ବିଭାଗ, ପୁଲିସ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ, ଜିଲା ସ୍ୱାସ୍ଥ୍ୟ ବିଭାଗ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯାଜପୁରର ପାରମ୍ପରିକ ମହାବାରୁଣୀ ସ୍ନାନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ବିଭାଗୀୟ ସେବା ଯୋଗାଇ ଦେଇଥିଲେ । ଚଳିତ ବର୍ଷ ମହା ବାରୁଣୀ ସ୍ନାନ ଯୋଗ ସମୟ ସକାଳ ୭ ଘଟିକା ଠାରୁ ଅପରାହ୍ନ ଘ. ୧ ଘଟିକା ପର୍ଯ୍ୟନ୍ତ ପଡିଥିଲା ।

Leave a Reply

Your email address will not be published. Required fields are marked *