ଭୁବନେଶ୍ୱର,୨୭/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟର ଆନୁକୁଲ୍ୟରେ ତଥା ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଏକ ନିଆରା ଫ୍ୟାଶନ୍ ସୋ ଲାବଣ୍ୟବତୀ (ହସ୍ତତନ୍ତ୍ରର କବିତା) ଆୟୋଜିତ ହୋଇଯାଇଛି । “ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ” ଥିମ୍ ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ତଥା ସମନ୍ୱୟ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପବଳ ସାମନ୍ତ । ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବକ୍ତା ତଥା ପୁରୀ ଗୋବର୍ଦ୍ଧନ ମଠର ଉପଦେଷ୍ଟା ପଣ୍ଡିତ୍ ମାତୃପ୍ରସାଦ ମିଶ୍ର, ରୁଚି ଫୁଡ଼୍ ଲାଇନ୍ ର ପରିଚାଳନା ନିର୍ଦ୍ଧେଶକ ଡ଼.ଶରତ କୁମାର ସାହୁ । ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ସାହୁ ସ୍ୱାଗତ ସମ୍ଭାଷଣ ସହ ପ୍ରକାଶ କରିଥିଲେ ଭାରତୀୟ ହସ୍ତତନ୍ତ୍ର ଜଗତରେ ଓଡ଼ିଶୀ ଶାଢୀର ସ୍ୱତନ୍ତ୍ର ସ୍ଥାନ ଓ ମାନ ରହିଛି, ଅପରୂପ ଛନ୍ଦଣୀରେ ବୁୂଣା ଯାଉଥିବା ପାଟ ସମ୍ଭାର ଆକର୍ଷଣ କରେ ଉଭୟ ସ୍ୱଦେଶୀ ତଥା ବିଦେଶୀ ଶାଢୀ ପ୍ରେମୀ ମାନଙ୍କୁ, ଏହାଛଡ଼ା ଆମ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ବେଶଭୂଷା ଆଦି ନିଆରା ଆଉ ଏହି ନିଆରାପଣକୁ ସ୍ୱତନ୍ତ୍ର ଉପସ୍ଥାପନା କରିବା ପାଇଁ ଫିକିର ଏହା ଏକ ଛୋଟ ପ୍ରୟାସ ।
ଆଧୁନିକ ସ୍ପର୍ଶ ସହିତ ହ୍ୟାଣ୍ଡଲୁମ୍ ର ମିଶ୍ରଣକୁ ନେଇ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାମନ୍ତ । ସେ ପ୍ରକାଶ କରିଥିଲେ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଯେତେ ପ୍ରୟାସ କରାଯାଉଛି ତନ୍ମଧ୍ୟରୁ ଏହା ମଧ୍ୟ ଏକ ସୁନ୍ଦର ପ୍ରୟାସ । ଓଡ଼ିଶାର ବୁଣାକାର ତଥା ଯୁବ ଡ଼ିଜାଇନର୍ ମାନଙ୍କୁ ଏକ ଉପଯୁକ୍ତ ପ୍ଲାଟଫର୍ମ ଦେଇଛନ୍ତି ଫିକି ଅନୁସ୍ଥାନ । ସମ୍ମାନନୀୟ ଅତିଥି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ଯେ ପ୍ରଥମଥର ପାଇଁ ପ୍ରୟାସ କରିଥିବା ଫିକିର ଏ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ।
ଏହି ଅବସରରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଣାକାର ଯଥା ସୋନପୁର କ୍ଲଷ୍ଟରର ଗୀତା ମେହର, ଭାଗୀରଥୀ ମହେର, ଗ୍ୟାବଜୋର କ୍ଲଷ୍ଟରର ସଂଗୀତା ମେହେର, ଭୁବନେଶ୍ୱର ମେହେର, ଖୋଟପାଡ଼ କ୍ଲଷ୍ଟ୍ର ର ପ୍ରହଲ୍ଲାଦ ମହନ୍ତ ଓ ଛବି ଆଦିଙ୍କୁ ମାନ୍ୟବର ମନ୍ତ୍ରୀ ଫିକି ତରଫରୁ ଅର୍ଥ ରାଶି, ଉପଢୌକନ ଓ ଫଳକ ଦେଇ ସମ୍ମାନୀତ କରିଥିଲେ । ସେମାନଙ୍କ ନିଖିଣ କାରୁକାର୍ଯ୍ୟକୁ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷମାନେ ପ୍ରଶଂସା କରିଥିଲେ ।
ଏହି ଫ୍ୟାଶନ ସୋ ସଂଧ୍ୟାରେ ରାଜ୍ୟର ପ୍ରତିଷ୍ଠିତ ଫ୍ୟାସନ ଡ଼ିଜାଇନିଂ ପ୍ରତିଷ୍ଠାନ ରିମିଲି ଷ୍ଟୁଡ଼ିଓ, ଅରେଞ୍ଜ୍ ଷ୍ଟ୍ରିମ୍, ଲେବଲ୍ ବାହାର୍, ଗ୍ୟାଲାଙ୍ଗ୍ ଗବାନ୍, ସୋଲ୍ ବୟ ଇଣ୍ଡିଆନ୍ ଏବଂ କିମ୍ବଦନ୍ତୀ ଆଦି ପ୍ରସ୍ତୁତ କରିଥିବା ବେଳେ ଆଡ଼ିକ୍ସନ୍ ଟିମ୍ର ମୁଖ୍ୟ ଜନ୍ ଅଜୟଙ୍କ ନିର୍ଦ୍ଧେଶନାରେ ଓଡ଼ିଶାର ୧୪ ଜଣ ଝିଅ ଓ ୬ ଜଣ ପୁଅ ମଡ଼େଲରମାନେ ର୍ୟାମ୍ପ୍ ୱାକ୍ କରିଥିଲେ । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ଓଡ଼ିଶାର କଳାକାର ଯଥା ପ୍ରକୃତି ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ମାଷ୍ଟରସେଫ୍ ସ୍ମୁତିଶ୍ରୀ ସିଂହ, ବିଗ୍ ବସ୍ ଫ୍ରେମ ସବ୍ୟସାଚୀ ଶତପଥୀ ଏବଂ ଅଭିନେତ୍ରୀ ବି.ଏମ୍. ବୈଶାଲୀ ପ୍ରମୁଖ ସ୍ୱତନ୍ତ୍ର ରାମ୍ପ୍ ୱାକ୍ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମ ପରିଶେଷରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଫାଲକନ ର ମାର୍କେଟିଙ୍ଗ୍ ବିଭାଗୀୟ ମୁଖ୍ୟ ବିକ୍ରାନ୍ତ ଗୁପ୍ତା, ଏସ୍.ଏନ୍.ଏମ୍ ର ପରିଚାଳନା ନିର୍ଦ୍ଧେଶକ ପ୍ରବୋଧ ମହାନ୍ତି, ରୁଚି ଫୁଡ଼୍ ଲାଇନର ନିର୍ଦ୍ଧେଶିକା ସଙ୍ଗୀତା ସାହୁ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଫିକିଫ୍ଲୋର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହ ଉପସ୍ଥାପନା କରିଥିଲେ ଶୁଭଜିତ୍ । ଏହି ଇଭେଂଟ ର ସଂପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ ହ୍ୱାଇଟ୍ କାନଭାସ୍ ଇଭେଂଟ କର୍ମକର୍ତା ମାନେ ।