# ବିଦ୍ୟାଳୟସ୍ତରରେ ପାଳିତ ହେଲା ‘ମାଆ ପାଇଁ ଗଛଟିଏ’
# ଇକୋ କ୍ଲବ୍ ଅଧିନରେ ନିଜ ମାଆଙ୍କ ସହ ଚାରା ଲଗାଇଲେ ଛାତ୍ରଛାତ୍ରୀ
# ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ପ୍ରାକୃତିକ ସମ୍ବଳ ହ୍ରାସକୁ ନେଇ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨ ୭ /୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିକ୍ଷାନୀତି-୨୦୨୦ର ଚାରି ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଆନୁକୂଲ୍ୟରେ ୭ ଦିନ ବ୍ୟାପୀ ବିଭିନ୍ନ ଦିବସ ପାଳନ କରାଯାଉଛି । ଶନିବାର ଏହାର ଷଷ୍ଠ ଦିନରେ ‘ପରିବେଶ ସଚେତନତା ଓ ସୁରକ୍ଷା’କୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟସ୍ତରରେ ଇକୋ କ୍ଲବ୍/ସ୍କୁଲ ପୋଷଣ ଦିବସ ପାଳନ କରାଯାଇଛି । ପରିବେଶର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକର ପ୍ରାଥମିକ ଦାୟିତ୍ୱ ଓ କର୍ତ୍ତବ୍ୟ । ଭବିଷ୍ୟତ ପିଢ଼ିଙ୍କୁ ଏହାର ମହ‰ ସମ୍ପର୍କରେ ଅବଗତ କରାଇବାକୁ ହେଲେ ବିଦ୍ୟାଳୟସ୍ତରରୁ ହିଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ସାରା ଦେଶ ତଥା ରାଜ୍ୟରେ ‘ମାଆ ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ ହୋଇଛି । ଏହାକୁ ବର୍ତ୍ତମାନ ବିଦ୍ୟାଳୟସ୍ତରରେ ଅଧିକ ବ୍ୟାପକ କରାଯାଇଛି । ଶିକ୍ଷା ସପ୍ତାହର ଷଷ୍ଠ ଦିବସରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଚାରା ରୋପଣ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କିପରି ନିଜ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଆଚରଣବିଧି ଆପଣେଇବେ ସେ ନେଇ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ସ୍କୁଲ ପରିସର, ଖାଲି ସ୍ଥାନ ଓ ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ନିଜ ମାଆଙ୍କ ସହ ମିଶି ଚାରା ରୋପଣ କରିଥିଲେ । ପ୍ରତ୍ୟେକ ବିଦ୍ୟାଳୟ ଅନ୍ୟୁନ ୩୫ଟି ଚାରା ରୋପଣ କରାଯିବା ସହ ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଚାରାଗୁଡ଼ିକର ଯତ୍ନ ନେବା ପାଇଁ ଦାୟିତ୍ୱ ଦିଆଯାଇଛି ।
ଏହି ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଆଉ ୬୨୫ଟି ଇକୋ କ୍ଲବ୍ ସ୍ଥାପନା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ଇକୋ କ୍ଲବରେ ୪ ରୁ ୫ ଜଣ ବିଦ୍ୟାର୍ଥୀ ରହିବେ ଓ ଜଣେ ବିଦ୍ୟାର୍ଥୀ ଇକୋ କ୍ଲବ୍ରେ ଅଧ୍ୟକ୍ଷ ରହିବେ । ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ପ୍ରାକୃତିକ ସମ୍ବଳ ହ୍ରାସକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।