ଭୁବନେଶ୍ୱର, ୨୩/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ 2024-25 ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବିକାଶ ଅଭିମୁଖୀ, ଦୂରଦୃଷ୍ଟିସମ୍ପନ୍ନ ବଜେଟରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଥିବା ଚାରିଟି ପ୍ରମୁଖ ଶ୍ରେଣୀ ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ’ ଏବଂ ‘ଅନ୍ନଦାତା’ (କୃଷକ) ଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।
ଏହି ବଜେଟରେ କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି । କୃଷି କ୍ଷେତ୍ରକୁ 1 ଲକ୍ଷ 52 ହଜାର କୋଟି ଟଙ୍କା, ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ପାଇଁ 3 ଲକ୍ଷ କୋଟି ଟଙ୍କାର ଆବଣ୍ଟନ କୃଷକ ଏବଂ ମହିଳା ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କେନ୍ଦ୍ର ବଜେଟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଗାମୀ 5 ବର୍ଷରେ 3 କୋଟି ନୂତନ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ବରାଦ ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ଓଡିଶା ଜନସାଧାରଣ ବିଶେଷ ଉପକୃତ ହେବେ ।
ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହା 5 କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା 63,000 ଗାଁକୁ ଅନ୍ତର୍ଭୁକ୍ତ କରିବ । ଏହାଦ୍ଵାରା ଓଡିଶାର ଜନଜାତି ଭାଇ ଓ ଭଉଣୀ ମାନେ ବିଶେଷଭାବେ ଉପକୃତ ହେବେ।
ଆଗାମୀ 5 ବର୍ଷ ମଧ୍ୟରେ 4 କୋଟି 10 ଲକ୍ଷ ଯୁବକ ଯୁବତୀ ମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ସୁଯୋଗ ସୃଷ୍ଟି ପାଇଁ 2 ଲକ୍ଷ କୋଟିର ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଏହାଦ୍ଵାରା ଓଡିଶାର ଯୁବବର୍ଗ ବିଶେଷ ଭାବରେ ଲାଭବାନ ହେବେ ।
କେନ୍ଦ୍ର ବଜେଟରେ ମୋଟ ପୁଞ୍ଜି ବିନିଯୋଗ 11 ଲକ୍ଷ 11 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ଅଭିବୃଦ୍ଧିରେ ସହାୟକ ହେବ। ରାଜ୍ୟ ମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ରାଶିକୁ 1 ଲକ୍ଷ 50 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ଵାରା ଓଡିଶାକୁ ପ୍ରାୟ 1 ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ମିଳିବ । ଏହା ପ୍ରାକ ବଜେଟ ଆଲୋଚନାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପାଖରେ ଦାବି ଥିଲା । ଏହି ଦାବି ଗ୍ରହଣ କରିଥିବାରୁ, ମାନ୍ୟବର କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି ।
ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ସ୍ଵତନ୍ତ୍ର ସହାୟତା ଘୋଷଣା କରିଥିବାରୁ ଆମେ କୃତଜ୍ଞ। ସ୍ଵତନ୍ତ୍ର ପୂର୍ବୋଦୟ ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ ।