ନିଶା ନିବାରଣ କେନ୍ଦ୍ର ପରିଚାଳନା ନେଇ ଦିନିକିଆ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୨୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକର ପରିଚାଳନା ନିମନ୍ତେ ଦିନିକିଆ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିଟ-୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏସଆଇଡ଼ିଆର୍‌ (ଗଔଉR) ସମ୍ମିଳନୀ କକ୍ଷରେ ଦିଶା ଯୋଜନା ଅଧିନରେ କେନ୍ଦ୍ରଗୁଡ଼ିକର ସୁପରିଚାଳନାକୁ ନେଇ ଏହି କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ରହି ଚଳିତ ୨୦୨୪-୨୫ ବର୍ଷରେ ରାଜ୍ୟରେ ଆଉ ୫ ଟି ନିଶା ନିବାରଣ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ।

        କେନ୍ଦ୍ରଗୁଡ଼ିକର ସୁପରିଚାଳନା, ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରାଯିବା ସହ ନିଶା ନିବାରଣ ପ୍ରକ୍ରିୟା, ଗୋଷ୍ଠୀ ସହଭାଗିତା, ସମାଜରେ ପୁନଃଏକୀକରଣ ବିଷୟରେ ବିସ୍ତୃତ ପର୍ଯ୍ୟାଲୋଚନା କରାଯାଇଥିଲା । ଆଜିର କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଫେଥ୍‌ ଚାରିଟେବଲ୍‌ ଟ୍ରଷ୍ଟ, ଖୋର୍ଦ୍ଧାର ମୁକ୍ତି ଫାଉଣ୍ଡେସନ୍‌, ବାଲେଶ୍ୱରର ପ୍ରୟାସ ସେ୍ୱଚ୍ଛାସେବୀ ସଂଗଠନ, ପୁରୀର ଭେଦିକ୍‌ ଗ୍ରୁପ୍‌, ବ୍ରହ୍ମପୁରର ପିପୁଲ୍ସ ଫୋରମ୍‌, କଟକର ପିକକ୍‌ ଫାଉଣ୍ଡେସନର ସଂଯୋଜକ ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ସମାଜସେବୀ ଓ କାଉନସିଲର୍‌ ଉପସ୍ଥିତ ରହି ତାଲିମ୍‌ ପ୍ରଦାନ କରିଥିଲେ ।

        କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଉପ ଶାସନ ସଚିବ ଶ୍ରୀ ବସନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *