ଭୁବନେଶ୍ୱର,୨୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍ ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍ନିକ୍ ଠାରେ ମିନି ଟୁଲ୍ରୁମ୍ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ର ନିର୍ଦ୍ଦେଶକ ରେଘୁ ଜି ଏବଂ ସେଣ୍ଟ୍ରାଲ ଟୁଲ୍ ରୁମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍. ରାଜଶେଖର ଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।
ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍ଲପ୍ମେଣ୍ଟ କର୍ପୋରେସନ୍ (ଓମ୍ବାଡ୍ସି) ଏଥି ପାଇଁ ୫ କୋଟି ଟଙ୍କା ଅନୁଦାନ କରିଛି । ଏହା ଦ୍ୱାରା ଉଭୟ କେନ୍ଦ୍ରରେ ଉଭୟଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପାଇପାରିବେ । ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ ହେବାସହ ଆଧୁନିକ ବୈଷୟିକ ଜ୍ଞାନ କୌଶଳରେ ପରିପୂର୍ଣ୍ଣ ହୋଇ ସେମାନେ ନିଜକୁ ରୋଜଗାରକ୍ଷମ କରିପାରିବେ । ଏତଦ୍ବ୍ୟତୀତ ପ୍ରଶିକ୍ଷକମାନଙ୍କର ଉତ୍ପାଦିକତା କ୍ଷେତ୍ରରେ ପୁନଃଦକ୍ଷତା ଓ ଉଚ୍ଚତର ଦକ୍ଷତାକ୍ଷମତା ମଧ୍ୟ ହାସଲ ହୋଇପାରିବ ।
କେନ୍ଦ୍ରୀୟ ଯାନ୍ତ୍ରିକ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସି କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅଟେ । ଏହି ଅନୁଷ୍ଠାନ ଓମ୍ବାଡ୍ସି ଅଧିନସ୍ଥ ସରକାରୀ ପଲିଟେକ୍ନିକ୍ ଯାଜପୁର ଓ ଦେବଗଡ଼ର ବାରକୋଟ ସରକାରୀ ଆଇଟିଆଇକୁ ଅଧିସ୍ୱୀକୃତି ପ୍ରଦାନ କରିବ । ଏହାଛଡ଼ା କମ୍ପୁ୍ୟଟର ନୁ୍ୟମରିକାଲ କଣ୍ଟ୍ରୋଲମିଲିଂ ଓ ଟର୍ଣ୍ଣିଂ ପାଇଁ ଯେଉଁ ପ୍ରଶିକ୍ଷଣ ଦିଆଯାଏ ତାହାକୁ ସାର୍ଟିଫିକେଟ ପ୍ରଦାନକରିବ ।
ଉତ୍ପାଦିକତା ଦେଶର ଅର୍ଥନୀତି ଓ ସାମଗି୍ରକ ଅଭିବୃଦ୍ଧିର ମୁଖ୍ୟ ଇଞ୍ଜିନ୍ ବୋଲି ପରିଗଣିତ ହୋଇଛି । ଦେଶରେ ଆବଶ୍ୟକୀୟ ଜିଡିପି ଅଭିବୃଦ୍ଧି ପାଇଁ ଉତ୍ପାଦିକତା ଅଭିବୃଦ୍ଧି ସିଧାସଳଖ ସଂପୃକ୍ତ ଅଟେ । ଜଗତିକରଣକୁ ସାମ୍ନା କରିବାକୁ ହେଲେ ଏକ ନିରନ୍ତର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକ ଉତ୍ପାଦିକତା କ୍ଷେତ୍ର ପ୍ରସ୍ତୁତ ହେବାଆବଶ୍ୟକ । ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉତ୍ପାଦିକତାର ଏକ ମୂଲ୍ୟବାନ ଅବଦାନ କହିଲେ ଅତୁ୍ୟକ୍ତି ହେବନାହିଁ । ତଥାପି ଏମ୍ଏସ୍ଏମ୍ଇ ଓ ବୃହତ୍ଶିଳ୍ପ ମଧ୍ୟରେ ଥିବା ସମସ୍ତ ସୁବିଧା ସୁଯୋଗ ସୁଦକ୍ଷ ମାନବ ସମ୍ବଳ ସହ ଯଥେଷ୍ଟ ନୁହେଁ । ସେଥି ପାଇଁ ଓଡ଼ିଶା ସରକାର ପୂର୍ବରୁ ଅନେକ ଟୁଲ୍ରୁମ୍ ସହ ବର୍ତ୍ତମାନ ୨ଟି ଟୁଲ୍ ରୁମ୍ର ସମ୍ପ୍ରସାରଣ କରିଛନ୍ତି । ଏହି ମିନି ଟୁଲ୍ରୁମ୍ ରେ ମେସିନାରୀ ଓ ଟ୍ରେନିଂ ଉଭୟ ସୁବିଧାରହିବ । ମେସିନାରୀ ଟ୍ରେନିଂ, ଆଧୁନିକ ଜ୍ଞାନକୌଶଳଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଦ୍ୱାରା ଦକ୍ଷ ମାନବ ସମ୍ବଳସୃଷ୍ଟି ହୋଇପାରିବ ।
