ରସଗୋଲା ଓଡ଼ିଆ ଅସ୍ମିତାର ପ୍ରତୀକ

ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରସଗୋଲା ମହୋତ୍ସବ ପାଳିତ
ଭୁବନେଶ୍ୱର, ୨୦/୭/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅବସରରେ ଶୁକ୍ରବାର ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ରସଗୋଲା ମହୋତ୍ସବକୁ ଉଦ୍ଘାଟନ କରି ଅର୍ଗସ ଟିିଭିର ଅଧ୍ୟକ୍ଷ ସଞ୍ଜୟ କୁମାର ଜେନା କହିଲେ ଯେ, ରସଗୋଲା ଓଡ଼ିଆ ଅସ୍ମିତାର ପ୍ରତୀକ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଖାଇବାକୁ ଦେଇ ତାଙ୍କର ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରାଇଥାନ୍ତି । ସମାଜରେ ପତ୍ନୀଙ୍କ ପ୍ରତି ସ୍ୱାମୀର ଯେଉଁ କର୍ତବ୍ୟ ତାହା ଶ୍ରୀଜଗନ୍ନାଥ ମହାପ୍ରଭୁ ଆମକୁ ବାଟ ଦେଖାଇଛନ୍ତି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥି କହିଲେ ଯେ, ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ କରିବା ପାଇଁ ଆମକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି । ଆଜି ଆମେ ଓଡ଼ିଆ ଜାତି ଗର୍ବ କରିବା ରସଗୋଲା ଆମର । ଯେବେଠାରୁ ରଥଯାତ୍ରା ଆରମ୍ଭ ହୋଇଛି, ସେବେଠାରୁ ରସଗୋଲାର ମଧ୍ୟ ସୃଷ୍ଟି । ମହୋତ୍ସବରେ ବିଶିଷ୍ଟ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଭାପତିତ୍ୱ କରିଥିଲେ ଓ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ମନୋଜ ଲେଙ୍କା ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଓଡ଼ିଆ ସଂସ୍କୃତିକୁ ବଂଚାଇବା ପାଇଁ ଆମ ଅନୁଷ୍ଠାନ ୧୭ ବର୍ଷ ଧରି କାର୍ଯ୍ୟ କରି•ଲିଛି । ଏହି ଅବସରରେ ରସଗୋଲାକୁ ଜିଆଇ ଟ୍ୟାଗ୍ ର ମାନ୍ୟତା ଦେବା ପାଇଁ ଓକିଲାତି କରିଥିବା ଶୀଳଭଦ୍ର ଶାସ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସ୍ତରୀୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ଲିଭିଙ୍ଗ ଫାଉଣ୍ଡେସନ, ଦୀର୍ଘ ୧୭ବର୍ଷ ଧରି ଜନସାଧାରଣଙ୍କ ସୁଖସ୍ୱାଚ୍ଛନ୍ଦ ପାଇଁ ବାସ୍ତୁ ପରାମର୍ଶ ଦେବା ସହ ଅର୍ଥନୈତିକ ଦୃଷ୍ଟିକୋଣରୁ ଅସୁବିଧା ଭିତରେ ଗତ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସିଛି । ଦୈବୀ ଦୁର୍ବିପାକ ସମୟରେ ପ୍ରପୀଡ଼ିତ ଜନତାଙ୍କ ନିକଟରେ ପହଂଚି ରନ୍ଧାଖାଦ୍ୟ ଦେବାର ବହୁ ଉଦାହରଣ ରହିଛି । ବିଭିନ୍ନ ସମୟରେ ରାଜଧାନୀରେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଦ୍ୱାରା ପରିବାରରେ ଶାନ୍ତି ତଥା ବିଶ୍ୱଶାନ୍ତି ପାଇଁ ସାମୂହିକ ଦୀପଦାନ, ବିଶେଷଭାବେ ଦେବ ଦୀପାବଳି ଓ ରଜପର୍ବକୁ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରିବା ସହ ନିମ୍ନ ମଧ୍ୟବିବର୍ଗଙ୍କୁ ଏଭଳି କାର୍ଯ୍ୟକ୍ରମରେ ସାମିଲ କରିଚାଲିଛି । କାର୍ଯ୍ୟକ୍ରମରେ ଇଂ ସନ୍ତୋଷ କୁମାର ସ୍ୱାଇଁ, ଓ ଟିଭିର କାର୍ଯ୍ୟକର୍ତା ଶ୍ରୀ ଅଶୋକ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । ଶେଷରେ ସଭାପତି ପ୍ରଭାତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବନ୍ଧୁମାନଙ୍କୁ ରସଗୋଲାରେ ଆପ୍ୟାୟିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *