ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

                     କଳା, ବିଜ୍ଞାନ ଓ ବାଣିଜ୍ୟରେ ସର୍ବାଧିକ କଟ୍‌-ଅଫ୍‌ ମାର୍କ ରଖି  ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭୁବନେଶ୍ୱର, ୨୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ଆଜି ଦିନ ୧୧.୪୫ ମିନିଟରେ ପ୍ରକାଶ ପାଇଛି । ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୭୫.୧୭ ପ୍ରତିଶତ, ବିଜ୍ଞାନରେ ୯୧.୫୦ ପ୍ରତିଶତ ଓ ବାଣିଜ୍ୟରେ ୭୭.୦୦ ପ୍ରତିଶତ କଟ୍‌-ଅଫ୍‌ ମାର୍କ ସହିତ ସମସ୍ତ ତିନିଗୋଟି ପାଠ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାଉରକେଲାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୭୪.୩୩ ପ୍ରତିଶତ କଟ୍‌-ଅଫ୍‌ ମାର୍କ ରଖି ଦ୍ୱିତୀୟ ସ୍ଥାନ, ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୨.୩୩ ପ୍ରତିଶତ କଟ୍‌-ଅଫ୍‌ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

          ସେହିପରି ବିଜ୍ଞାନରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନୀଳକଣ୍ଠପୁର ସରସ୍ୱତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯଥାକ୍ରମେ ୮୭.୦୦ ପ୍ରତିଶତ ଓ ୮୪.୮୩ ପ୍ରତିଶତ କଟ୍‌-ଅଫ୍‌ ମାର୍କ ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟରେ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯଥାକ୍ରମେ ୭୭.୦୦ ପ୍ରତିଶତ ଏବଂ ୭୦.୦୦ ପ୍ରତିଶତ କଟ୍‌-ଅଫ୍‌ ମାର୍କ ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉପଶାସ୍ତ୍ରୀରେ ବରଗଡ଼ସ୍ଥିତ ରାଜବୋରାସମ୍ବରରେ ଥିବା ଲାଲାଜୀ ଗୋପାଳଜୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୦.୩୩ ପ୍ରତିଶତ ଏବଂ ଧନ୍ଦାମୂଳକ ଶିକ୍ଷାରେ କଳାହାଣ୍ଡିସ୍ଥିତ ଧର୍ମଗଡ଼ର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୨.୮୩ ପ୍ରତିଶତ କଟ୍‌-ଅଫ୍‌ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆସନ୍ତା ଜୁଲାଇ ୨୨ ରୁ ୨୭ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ଜଣାଇ ଦିଆଯାଇଛି ।

    ସୂଚନାଯୋଗ୍ୟ, ସମୁଦାୟ ୪,୭୬,୦୯୩ ଜଣ ପ୍ରାର୍ଥୀ ନାମଲେଖା ନିମନ୍ତେ ଆବେଦନ କରିଥିବାବେଳେ ୪,୨୬,୪୭୨ ଜଣଙ୍କର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ତନ୍ମଧ୍ୟରୁ ଯଥାକ୍ରମେ କଳାରେ ୨,୭୧,୪୯୨, ବିଜ୍ଞାନରେ ୧,୧୭,୨୭୩, ବାଣିଜ୍ୟରେ ୨୪,୩୫୪, ଉପଶାସ୍ତ୍ରୀ ୮,୩୭୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୯୭୮ଜଣଙ୍କର ତାଲିକା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *