ଯାଜପୁର, ୨୯/୧୧/୨୦୨୩ (ଓଡ଼ିଶା ସମାଚାର)-ଜିଲା ପ୍ରଶାସନ ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଊଦ୍ଧିଷ୍ଟ ସଚେତନତା ରଥ ୨୦୨୩ କୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ଜିଲା କାର୍ଯ୍ୟାଳୟ ପ୍ରାଙ୍ଗଣରୁ ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରି କହିଲେ ଯେ, ରାଜ୍ୟ ସରକାରଙ୍କର ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ଅଭିଯାନ ଏକ ମହତ ଅଭିଯାନ ଅଟେ । ଦୁର୍ଗମ ଅଂଚଳରେ ଯେଉଁ ଶିଶୁମାନେ କୌଣସି କାରଣ ବସତଃ ଅନାଥ ଓ ଅବହେଳିତ ଭାବେ କାଳାତିପାତ କରୁଛନ୍ତି ସେମାନଙ୍କୁ ଥଇଥାନ କରିବାରେ ପୋଷ୍ୟ ସନ୍ତାନ ଗ୍ରହଣ ଯୋଜନା ଏକ ଅଭିନବ ଯୋଜନା ବୋଲି ସେ ଉଲ୍ଳେଖ କରିଥିଲେ । ଯେଉଁ ମାନଙ୍କ କୋଳରେ ସନ୍ତାନଟିଏ ନାହିଁ ବା ନିଃସନ୍ତାନ ଦମ୍ପତିମାନେ ଏହି ଯୋଜନାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଅନାଥ ଓ ଅବହେଳିତ ଶିଶୁମାନେ ବଂଚିବାର ରାହା ପାଇବା ସହ ନିଃସନ୍ତାନ ଦମ୍ପତିମାନେ ମାତୃତ୍ୱର ଗୌରବ ଅର୍ଜନ ସହ ସାମାଜିକ କୁଛାରଟନାରୁ ବଂଚିତ ହୋଇ ଏକ ସୁନ୍ଦର ପାରିବାରିକ ଜୀବନ ନିର୍ବାହ କରିପାରିବେ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ଜେନା ଷ୍ପଷ୍ଟୋକ୍ତି ରଖିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଜିଲା ସଂଯୋଜକ, ଆକ୍ସନ ଏଡ୍, ଶ୍ରୀ ସୁବାସ ଦିଗଲ, ସୁରକ୍ଷା ଅଧିକାରୀ, ଜିଲା ଶୁଶୁ ସୁରକ୍ଷା ଶାଖା, ଯାଜପୁର ଅର୍ଚ୍ଚନା କୁମାରୀ ସାମନ୍ତ, ବରିଷ୍ଠ ଆଇନଜିବୀ ଓ ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ଜୟନ୍ତ କୁମାର ଗୋସ୍ୱାମୀ, ଅଧିକ୍ଷକ, ଉତ୍କଳ ବାଳାଶ୍ରମ, ସୁଶ୍ରୀ ପ୍ରଜ୍ଞାସିନୀ ସାହୁ ଏବଂ ଜିଲା କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ସଂପୃକ୍ତ ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି, ଆଜିର ଏହି ସଚେତନତା ରଥ ସୁକିନ୍ଦା ଏବଂ ଦାନଗଦୀ ବ୍ଳକର ବିଭିନ୍ନ ଅଂଚଳ ପରିକ୍ରମା କରି ପୋଷ୍ୟ ସନ୍ତାନ ଗ୍ରହଣର ଉପକାରିତା ସମ୍ୱନ୍ଧରେ ବ୍ୟାପକ ସଚେତନତା ବାର୍ତା ଅଡିଓ ସଂଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରିବ । ସେହିପରି ଆସନ୍ତା କାଲି ଠାରୁ ଜିଲାର ଅନ୍ୟ ବ୍ଳକ ଗୁଡିକୁ ପରିକ୍ରମା କରି ବିଭିନ୍ନ ଅଂଚଳରେ ବ୍ୟାପକ ସଚେତନତା ବାର୍ତା ପ୍ରଚାର କରିବ ।
ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଧିଷ୍ଟ ସଚେତନତା ରଥ ୨୦୨୩ ଶୁଭାରମ୍ଭ
