ରାଜ୍ୟସ୍ତରୀୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
# ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା
# ଶିଶୁଙ୍କୁ ଫାଷ୍ଟଫୁଡ୍ ବଦଳରେ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ମା’ମାନଙ୍କୁ ଦେଲେ ଉପଦେଶ
# ତୀବ୍ର ପୁଷ୍ଟିହୀନତା ଜିଲ୍ଲାକୁ ବିଶେଷ ଧ୍ୟାନ ଦେବା ପାଇଁ ଦେଲେ ଗୁରୁତ୍ୱ
ଭୁବନେଶ୍ୱର, ୧୮/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଅନୁଷ୍ଠିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ମିଶନ ମୋଡ୍ରେ ଅପପୁଷ୍ଟି ଦୂର କରିବା ଲକ୍ଷ୍ୟରେ ସାମିଲ ହେବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ତୀବ୍ର ପୁଷ୍ଟିହୀନତା ଜିଲ୍ଲାକୁ ବିଶେଷ ଧ୍ୟାନ ଦେଇ ଉକ୍ତ ଜିଲ୍ଲାମାନଙ୍କୁ ପୁଷ୍ଟିହୀନତା ମୁକ୍ତ କରିବାକୁ ଶ୍ରୀମତୀ ପରିଡା ଆଲୋକପାତ କରିଛନ୍ତି । କ୍ଷେତ୍ର ପରିଦର୍ଶନରେ ଯାଇ ଛତୁଆ ସହ ସମସ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ (ଟେକ ହୋମ୍ ରାସନ୍)ର ଗୁଣବତ୍ତାକୁ ନିୟମିତ ଯାଞ୍ଚ କରିବା ସହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ନିୟମିତ ତାଲିମ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ଉପଦେଶ ଦେବା ସହ ସେମାନଙ୍କ ଠାରୁ ସୁଚିନ୍ତିତ ପ୍ରସ୍ତାବକୁ ସେ ଆହ୍ୱାନ କରିଛନ୍ତି । ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ବୋଲି ସେ ମତବ୍ୟକ୍ତ କରିଛନ୍ତି । ୧୦୦ ଦିନ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପରିଡା କଡା ତାଗିଦ କରିଛନ୍ତି । ମା’ମାନେ ଛୋଟ ଛୋଟ ଶିଶୁଙ୍କୁ ଫାଷ୍ଟଫୁଡ୍ ଦେବା ବଦଳରେ ପୁଷ୍ଟିକର ଖାଦ୍ୟ ଦେବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପରିଡା ଗୁରୁତ୍ୱାରୋପ କରିଛନ୍ତି ।
ଏହି ଅବସରରେ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଯୋଗଦେଇ ବିଭାଗର ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟର ସମାଜ ମଙ୍ଗଳ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।