ଢେଙ୍କାନାଳ, ୧୬/୭/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ମହାପ୍ରଭୁଙ୍କ ଠାରେ ତୁଳସୀ ଓ ପଦ୍ମଫୁଲ ଲାଗି କରିବା ପାଇଁ ତୁଳସୀ ଓ ପଦ୍ମମାଳ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଗ୍ରାମରୁ ପୁରୀ ଶ୍ରୀକ୍ଷେତ୍ରକୁ ୧୨ ବର୍ଷ ଧରି ଯୋଗାଇ ଆସୁଛନ୍ତି ଚିଣ୍ଟୁ ବାବା । ବର୍ଷତମାମ ଖରା, ବର୍ଷା, ଶୀତ, କାକରରେ ଚିଣ୍ଟୁ ବାବା ନିଜର ଏହି ସେବା ଜାରି ରଖିଛନ୍ତି। ମହାପ୍ରଭୁ ଙ୍କ ପାଇଁ ପ୍ରତିଦିନ ରାତିରୁ ତୁଳସୀ ମାଳ , ପଦ୍ମ ଫୁଲ ,ଗେଣ୍ଡୁ ଫୁଲ, ଦୟଣା ସବୁ ନେଇକି ଯାଆନ୍ତି ଚିଣ୍ଟୁ ବାବା । ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଗ୍ରାମ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସାଧନାର ପୀଠ ଭାବେ ମଧ୍ୟ ପରିଚିତ। ଶ୍ରୀକ୍ଷେତ୍ର ପୁରୀରେ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡା ଯାତ୍ରା ଅବସରରେ ଭକ୍ତମାନଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ଲାଗି ଚଳିତବର୍ଷ ପ୍ରାୟ ୩୩୯ ଫୁଟ୍ ଲମ୍ବର ତୁଳସୀ ମାଳ ଓ ୨୦୯ ଫୁଟ ଲମ୍ବର ପଦ୍ମମାଳ ଏବଂ ୨୦୧ ଫୁଟ ଲମ୍ବର ଗେଣ୍ଡୁ ଫୁଲମାଳ ନେଇ ଚିଣ୍ଟୁ ବାବା ପହଞ୍ଚାଇଛନ୍ତି।