ରାଜ୍ୟସ୍ତରୀୟ କନ୍ୟାଭ୍ରୂଣ ହତ୍ୟା ଆଇନ ସଚେତନତା

କୋଣାର୍କ,୨୮/୦୩/୨୦୨୫(ଓଡ଼ିଶା ସମାଚାର)-ଗୁରୁବାରବାର କୋଣାର୍କ ପର୍ଯ୍ୟଟନ ବିଭାଗ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲା ସମାଜକଲ୍ୟାଣ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ କନ୍ୟାଭ୍ରୁଣ ହତ୍ୟା ଆଇନ ପିସିିଏନଡିଟି ଆକ୍ଟ ଓ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ହେଲା ଗାଁ ଗହଳିରେ କନ୍ୟାଭ୍ରୁଣ ହତ୍ୟାକୁ ବନ୍ଦ କରିବା ଓ ଝିଅ ପୁଅ ମଧ୍ୟରେ ସମାନତା ଆଣିବା ପାଇଁ ମହିଳାମାନଙ୍କୁ ସଚେତନତା କରିବା ସହ ବେଟି ହତ୍ୟା ମୁକ୍ତ ଗାଁ ସୃଷ୍ଟି କରିବା ଲକ୍ଷ୍ୟ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା ।

ଏହି ରାଜ୍ୟସ୍ତରୀୟ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତିରଞ୍ଜନ ନାୟକ ଓ ଅତିଥି ଭାବେ ପୁରୀ ଜିଲା ଲୋକ ସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ ସେଠୀ, ଜିଲା ସମାଜ କଲ୍ୟାଣ ଅଧିକାରୀ ତନୁ ପ୍ରଭା ବେହେରା, ଗୋପ ତହସିଲଦାର ଅନୀଲ ମହାନ୍ତି, ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜସ୍ମୀନ ଆଫ୍ରୋଜ, କାକଟପୁର ଥାନା ଅଧିକାରୀ ଉମେଶ ସାହୁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ପ୍ରଥମେ ଜିଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ପରେ ପୁରୀ ଜିଲା ଶିଶୁ ସୁରକ୍ଷା ଆଇନ ଅଧିକାରୀ ସନ୍ତୋଷ କୁମାର ସାହୁ କନ୍ୟାଭ୍ରୁଣ ହତ୍ୟା ଆଇନ ସମ୍ପର୍କରେ ସୂଚନା ଦେଇ ଆଜିର ସମାଜରେ ମହିଳାଙ୍କ ଭୂମିକାକୁ ନେଇ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡ଼ିକାଲ ଅଫିସର କାକଟପୁର ଓ ଅସ୍ତରଙ୍ଗଙ୍କ ସମେତ ନିମାପଡ଼ା ବିଡ଼ିଓ, ଗୋପ ଥାନା ଅଧିକାରୀ, ଅସ୍ତରଙ୍ଗ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ପରେ ମୁଖ୍ୟ ଅତିଥି ଓ ଅତିଥିମାନେ ନିଜ ନିଜ ବକ୍ତ୍ୟବରେ କନ୍ୟାଭ୍ରୁଣ ହତ୍ୟା ଆଇନ ବିଷୟରେ ଟିକିନିଖି ବୁଝାଇଥିଲେ । ଏହି କର୍ମଶାଳାରେ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ନିଜର କାର୍ଯ୍ୟ ପାଇଁ ଡେଲାଙ୍ଗ ଅଂଚଳର ସୁପରଭାଇଜର ଶାନ୍ତିଲତା ବାରିକ, ଗୋପ୍ ହେଡକ୍ୱାର୍ଟର୍ ର ସୁପରଭାଇଜର ସୁଚିତ୍ର ପ୍ରଧାନ, ନିମାପଡ଼ାର ବନଲତା ନନ୍ଦ, ନମିତା ନନ୍ଦ, ୱାନଷ୍ଟପ୍ ର ବିଜୟଲକ୍ଷ୍ମୀ ବଡ଼ଜେନା ଓ ମିଶନଶକ୍ତିର ସ୍ୱାଗତିକା ମହାନ୍ତିଙ୍କୁ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ପୁରୀ ଜିଲା ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ ଓ ପରିଦର୍ଶିକା ବାଲ୍ୟବତୀ ମହାନ୍ତି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *