ନିମାପଡ଼ାରେ ଡ୍ରେନେଜ ସମସ୍ୟା ର ସମାଧାନ କେବେ ?

ନିମାପଡ଼ା, ୧୬/୭/୨୦୨୪ (ଓଡ଼ିଶା ସମାଚାର)- ନିମାପଡ଼ାରେ ସ୍ମାର୍ଟ ଡ୍ରେନେଜ ବ୍ୟବସ୍ଥା କରାଯିବ, ସ୍ୱତନ୍ତ୍ର ଡ୍ରୋନ ମାଧ୍ୟମରେ ନିରୀକ୍ଷଣ କରାଯିବ, ବିଶେଷଜ୍ଞଙ୍କ ଦ୍ୱାରା ପ୍ଲାନିଂ ହେବ ଇତ୍ୟାଦି ଇତ୍ୟାଦି ଏନଏସି ଅଧ୍ୟକ୍ଷା ବର୍ଷକ ତଳୁ କହି ଆସୁଛନ୍ତି । ଏସବୁ ଯେ ପୌରବାସୀଙ୍କୁ ଭୁଆଁ ବୁଲା ଯାଉଥିଲା, ମିଥ୍ୟା ପ୍ରତିଶୃତି ଦିଆଯାଇଥିଲା ବୋଲି ଏବେ ଜଣାପଡିଛି। ବର୍ଷାଦିନ ଆରମ୍ଭ ହେଲା କିନ୍ତୁ ସ୍ମାର୍ଟ ଡ୍ରେନେଜ ଦୂରର କଥା ଡ୍ରେନ କାମ ଅଧା ହୋଇ ପଡ଼ିରହିଛି। ବର୍ଷା ସବୁ ଯାଗାରେ ହେଉଛି, ପାଣି ସବୁଠି ଜମା ହେଉଛି କିନ୍ତୁ ନିମାପଡ଼ାର ବର୍ଷାପାଣି ସମସ୍ୟା ମନୁଷ୍ୟକୃତ ତଥା ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ହେଉଛି ବୋଲି ଅଭିଯୋଗ ହେଉଛି  । ମୁଖ୍ୟରାସ୍ତା ସମ୍ପ୍ରସାରଣ ପାଇଁ ଶହଶହ ଦୋକାନ ଘର ଭଙ୍ଗା ଯାଇଥିଲା। ଏହାଭିତରେ ୬ମାସ ବିତିଗଲା। ଭଙ୍ଗା ଖଣ୍ଡସବୁ ରାସ୍ତା, ଡ୍ରେନରୁ ଠିକଭାବେ ଉଠାଗଲା ନାହିଁ। ଡ୍ରେନ କାମ ଅଧା ହୋଇ ପଡିରହିଲା। ଏବେ ବର୍ଷାର ମାତ୍ରା ବଢିବା ସାଙ୍ଗକୁ ସମସ୍ୟା ମଧ୍ୟ ବଢ଼ି ଚାଲିଲା। ଡ୍ରେନେଜ ସମସ୍ୟା ଏନଏସିର ପ୍ରାୟ ସମସ୍ତ ୱାର୍ଡରେ ମୁଖ୍ୟ ସମସ୍ୟା। ରାସ୍ତା ମଝିରେ ବିରାଟ ଖାଲ। ବର୍ଷାର ପରିମାଣ ବଢିଲେ ସମତଳ ରାସ୍ତା କେଉଁଠି, ଖାଲରାସ୍ତା କେଉଁଠି ଜାଣିବା କଷ୍ଟକର। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ କାହାରି ଆଖିକୁ ଦିଶୁନି। ଡ୍ରେନ ପୋତିହୋଇ ରହିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନି। କାହା ଘରେ ଆଣ୍ଠୁଏ ପାଣି ହେଲାଣି ତ ଆଉ କାହାର ଦୋକାନରେ ପାଣି ପଶି କ୍ଷୟକ୍ଷତି ହେଲାଣି। ଅଧିକାରୀ, ଲୋକପ୍ରତିନିଧିଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇଲେ ଉତ୍ତର ମିଳୁଛି ବର୍ଷା ସବୁଆଡେ ହଉଛି, ପାଣି ସବୁଠି ଜମାହେଉଛି। ମୁଖ୍ୟରାସ୍ତା ଆକ୍ସିସ ବ୍ୟାଙ୍କ ସମ୍ମୁଖରେ ବିରାଟ ବିରାଟ ଖାଲ। ଦୁଇଦିନ ଲଗାଣ ବର୍ଷାରେ ରାସ୍ତାଉପରେ ଆଣ୍ଠୁଏ ଉଚ୍ଚର ପାଣି। ଦୁଇଦିନ ମଧ୍ୟରେ ଡଜନରୁ ଅଧିକ ଲୋକ ଖାଲରେ ପଡି କ୍ଷତାକ୍ତ ହୋଇଥିବା ବେଳେ ବର୍ଷାପାଣି ଦୋକାନ ଭିତରେ ପଶି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। କିନ୍ତୁ ପ୍ରଶାସନ ନିକଟରେ ଏସବୁ ଖବର ପହଞ୍ଚି ପାରୁନି। ପ୍ରଶାସନ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛି। ନିମାପଡ଼ା ବିଧାୟକ ତଥା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *