ନିରାକାରପୁର, ୧୫/୭/୨୦୨୪ (ଓଡ଼ିଶା ସମାଚାର)- ଶିଶୁ ମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାନ କରାଯାଇଛି। ଶାରୀରିକ ଓ ମାନସିକ ବିକାଶ ପାଇଁ ସରକାର ସେମାନଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଇ ମାଗଣାରେ ପୃଷ୍ଟିକର ଖାଦ୍ୟ ଠାରୁ ଆରମ୍ଭ କରି ପୁସ୍ତକ, ଶିକ୍ଷା ପ୍ରଦାନକାରୀ ବିଭିନ୍ନ ଖେଳନା ଆଦି ମାଗଣାରେ ଯୋଗଦେଇଛନ୍ତି। ଏଥି ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକ ସକାଳ ୭ ଟା ରୁ ୧୦ ଟା ପର୍ଯ୍ୟନ୍ତ ଖୋଲା ଯାଉଛି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ରହି ସେମାନଙ୍କ ଯିବା ଆସିବା ଓ ଖାଦ୍ୟ ପେୟ , ପାଠପଢ଼ା କଥା ବୁଝୁଛନ୍ତି। କିନ୍ତୁ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଘର ନଥିବାବେଳେ ଅନ୍ୟ କେଉଁଠି ଘର ଅଛି ତ ବିଦ୍ୟୁତ୍ ନାହିଁ କି ପାଣିର ବ୍ୟବସ୍ଥା ନାହିଁ। ଫଳରେ କୋମଳମତି ଛାତ୍ରଛାତ୍ରୀ ଗରମ ଓ ଗୁଳୁଗୁଳି ସିଝୁ ଛନ୍ତି। ଯାହାର ଏକ ନମୁନା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ଖଜୁରୀପଡ଼ା ୧ ଅଙ୍ଗନବାଡ଼ି କେନ୍ଦ୍ରରେ। ୧୬ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଏହି କେନ୍ଦ୍ରରେ ନାହିଁ ବିଦ୍ୟୁତ୍ ସଂଯୋଗ କି ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା।
ଫଳରେ ଗରମ ଓ ପାଣି ପାଇଁ ଛଟପଟ ପିଲାଙ୍କୁ କର୍ମୀମାନେ କେବଳ ବୁଝାସୁଝା କରି କେନ୍ଦ୍ର ଚଳାଇବା କୁ ପଡୁଛି। କେହି ଭଦ୍ର ବ୍ୟକ୍ତି, ଅଭିଭାବକ ଓ ନିର୍ବାଚିତ ପ୍ରତିନିଧି ଆସିଲେ ବସିବାକୁ ମଧ୍ୟ ଚେୟାର ଟିଏ ନାହିଁ। ବାଧ୍ୟ ହୋଇ ସେମାନେ ତଳେ ବସିବାକୁ ପଡୁଛି। ଟାଙ୍ଗୀ ବ୍ଲକ ସମୁଦାୟ ୨୫୩ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୦୪ ଟି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ହୋଇଛି। ୧୮ ଟି ଜାଗାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ସେହିପରି ୧୨୮ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଘର ଥିବାବେଳେ ୫୯ ନିର୍ମାଣାଧୀନ ରହିଛି ବୋଲି ଜଣାପଡିଛି । ବିଦ୍ୟୁତ୍ ସଂଯୋଗ ପାଇଁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ବିଭାଗ ହାତରେ ରହିଛି। ଯେହେତୁ ଖଜୁରୀପଡ଼ା ୱାନ କେନ୍ଦ୍ରରେ ବିଦ୍ୟୁତ୍ ଖୁଣ୍ଟ ଆବଶ୍ୟକତା ରହିଛି ଓ ଅଧିକ ଖର୍ଚ୍ଚ ଆସିବ ତେଣୁ ସିଡିପିଓ ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ଅବଗତ କରିଛନ୍ତି ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବିଡ଼ିଓ ଙ୍କୁ ଲିଖିତ ଦରଖାସ୍ତ ଦେଇଥିବା ବି ଜଣାପଡିଛି। ଦେଖିବାକୁ ବାକି ରହିଲା କେତେ ଦିନ ପରେ ଏହି ଅଙ୍ଗନବାଡ଼ି କେନ୍ଦ୍ରର ଭାଗ୍ୟ ପରିବର୍ତ୍ତନ ହୋଇ ପାରୁଛି।