ଜାରି ହେଲା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ମୋବାଇଲ୍ ନମ୍ବର

ନିର୍ବାଚନୀ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିପାରିବେ ଜନସାଧାରଣ
କେନ୍ଦ୍ରାପଡ଼ା,୦୭/୦୫/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଜି କେନ୍ଦ୍ରାପଡ଼ା ଜିଲାରେ ପହଂଚିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ ହୋଇଛନ୍ତି ଆଇଆରଏଏସ୍ ଅଧିକାରୀ ସ୍ୱାତୀ ଚୁଲେଟ୍ । ସେହିପରି ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଭୁବନେଶ୍ୱରୀ ଏସ୍ ୯୭-କେନ୍ଦ୍ରାପଡ଼ା, ୯୮-ଆଳି ଓ ୯୯-ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ତୁଲାଇବେ । ୯୬-ପାଟକୁରା ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ଆଇଏଏଏସ୍ ଅଧିକାରୀ ପଭେନ୍ଥନ୍ ଆରୁମୁଗମ୍ ଦାୟିତ୍ୱ ନିର୍ବାହ କରିବେ । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅନିୟମିତତା ନଜରକୁ ଆସିଲେ ଜନସାଧାରଣ ବା ପ୍ରାର୍ଥୀ ସିଧାସଳଖ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ନିକଟରେ ଅଭିଯୋଗ କରିପାରିବେ । ପର୍ଯ୍ୟବେକ୍ଷକମାନଙ୍କ ମୋବାଇଲ୍ ନମ୍ବର ଜିଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି କରାଯାଇଛି । ସେହି ଅନୁଯାୟୀ ସ୍ୱାତୀ ଚୁଲେଟ୍-୭୨୦୫୫୨୪୫୯୩, ଭୁବନେଶ୍ୱରୀ ଏସ୍-୭୨୦୫୫୧୭୨୮୯, ପଭେନ୍ଥନ୍ ଆରୁମୁଗମ୍-୭୨୦୫୫୧୭୦୮୯ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇପାରିବ । ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ମୋବାଇଲ୍ ନମ୍ବରରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ନିର୍ବାଚନୀ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିପାରିବେ । ଅଭିଯୋଗ ଆଧାରରେ ସେମାନେ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ ଅନିୟମିତତାର ଯାଂଚ କରିବେ । ଆଜି ସଂଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ଖର୍ଚ୍ଚ ପରିଚାଳନାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିୟମ ଆଧାରରେ ଖର୍ଚ୍ଚ ପରିଚାଳନା କରିବାକୁ ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକମାନେ ଗୁରୁତ୍ୱାରୋପ କରିଥିଲେ । ବର୍ତମାନ ଜିଲାରେ ୧୫ଟି ଫ୍ଲାଇଙ୍ଗ୍ ସର୍ଭେଲାନ୍ସ ଟିମ୍ (ଏଫଏସଟି) କାର୍ଯ୍ୟ କରୁଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଖର୍ଚ୍ଚ ପର୍ଯ୍ୟବେକ୍ଷକ । ଏସଏସଟି ଓ ଭିଏସଟି ବାରମ୍ବାର ଷ୍ଟ୍ରାଟେଜିକ୍ ଲୋକେସନ୍ ପରିବର୍ତନ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ବ୍ୟାଙ୍କ ଓ ଅନଲାଇନ୍ ଜରିଆରେ ଟଙ୍କା ନେଣଦେଣ ଉପରେ କଡ଼ା ନଜର ରଖିବାକୁ କହିଛନ୍ତି । ଇ-ସୁବିଧା କେନ୍ଦ୍ର, କଂଟ୍ରୋଲ୍ ରୁମ୍, ସି-ଭିଜିଲ୍ ଅଭିଯୋଗ କେନ୍ଦ୍ର, ଏକ୍ସପେଣ୍ଡିଚର୍ ମନିଟରିଂ ସେଲ,ଏମସିଏମସି ବୁଲି ସେମାନେ ଅନୁଧ୍ୟାନ କରିଥିଲେ । ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆତ୍ମସନ୍ତୋଷ ପ୍ରକାଶ କରିବା ସହ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଟ୍ରେଜେରୀ ଅଫିସର ପ୍ରମୋଦ କୁମାର ରାଉତ, ସିଟିଜିଏସଟି କମିସନର ଅମରେନ୍ଦ୍ର ମାହାଲିକ୍, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଏଲଡିଏମ୍ ମନୋଜ ପ୍ରଧାନୀ, ଇନକମ୍ ଟ୍ୟାକ୍ସ ଅଫିସର, ଅବକାରୀ ଅଧୀକ୍ଷକ, ଡିଆଇପିଆରଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *