ରିଲ୍ସ ନିଶା ହେଲା କାଳ…. ୫ ଦିନରେ ପାଣିରେ ଭାସିଲା ଓମ ଶବ : ଆଶ୍ୱସ୍ତି ହେଲା ପ୍ରଶାସନ

* ଫେଲ ମାରିଲା ଆଧୁନିକ ଜ୍ଞାନ କୌଶଳ, ଫେଲ ମାରିଲେ ଉଦ୍ଧାରକାରୀ ଦଳ

* ଶବ ବ୍ୟବଚ୍ଛେଦ ପାଇଁ ଗଲା ଏମ୍ସ

* ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

 ନିରାକାରପୁର, ୧୨/୭/୨୦୨୪ (ଓଡ଼ିଶା ସମାଚାର)- ରିଲ୍ସ କରିବା ନିଶା ହେଲା କାଳ। ଗଭୀର ପାଣିରେ ନିଖୋଜ ହୋଇଥିବା ଛାତ୍ର ଓମ ପ୍ରକାଶ ରଥଙ୍କ ଶବ ୫ ଦିନ ପରେ ଆଜି ଉଦ୍ଧାର ହେଲା। ୫ ଦିନ ଧରି ଅଗ୍ନିଶମ , ଓଡ୍ରାଫ ଟିମ,  ଏନଡିଆରଏଫ୍, ଭାରତୀୟ ନୌସେନା ବାହିନୀ, କିଛି ଘରୋଇ ଉଦ୍ଧାରକାରୀ ଦଳ ଓ ରାଉରକେଲା ଏନ୍ଆଇଟି ବିଶେଷଜ୍ଞ ଦଳ ସହିତ ରୋବର୍ଟ ଆସି ଗଭୀର ଜଳ ମଧ୍ୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ ବି ଓମ ର ଶବ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଏହି ଜ୍ଞାନ କୌଶଳ ଓ ଉଦ୍ଧାରକାରୀ ଙ୍କ ସାହାଯ୍ୟରେ ସମୁଦ୍ର ଓ ନଦୀ ମାନଙ୍କରୁ ଲୋକ ମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏକ ଖଣି ଜଳରୁ ଏକ ଶବ ଉଦ୍ଧାର କରିବାରେ ବିଫଳ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶୁକ୍ରବାର ସକାଳୁ ଓମ ଶବ ଭାସୁ ଥିବାର ଦେଖି ଉଦ୍ଧାରକାରୀ ଦଳ ଶବକୁ ପାଣିରୁ ବାହାରକୁ ବାହାର କରି ଆଣିଥିଲେ। ସୂଚନାଯୋଗ୍ୟ କି ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ ରେ ଘଟି ଥିଲା ଏହି ଅଘଟଣ। ବିଶାଳ ପାହାଡ ମଧ୍ୟରେ ରହିଛି ଅକାତକାତ ନୀଳ ଜଳରାଶି। ଆଖିକୁ ସୁନ୍ଦର ଦେଖାଯାଉଥିଲେ ସୁଦ୍ଧା ଏଠାକୁ ଯିବା ବଡ ବିପଦଜନକ।ବାରମ୍ବାର ଜିଲ୍ଲା ପ୍ରଶାସନ ବାରଣ କରିଥିଲେ ବି ଗତ ୮ ତାରିଖ  ସୋମବାର ଦିନ ଭୁବନେଶ୍ୱର ପାହାଳ ନିକଟ  ଏକ କଲେଜରେ ରହି ଡାକ୍ତରୀ ପଢୁଥିବା ଓମ୍ ପ୍ରକାଶ ରଥ ( ପିନୁ) ଖୋର୍ଦ୍ଧା ରେ ଘରେ ଥିବାବେଳେ ଆଉ ୨ ଜଣ ଯୁବକ ଓ ଜଣେ ଯୁବତୀ ସାଙ୍ଗ ହୋଇ ଖୋର୍ଦ୍ଧା ରୁ ଓମ୍ କୁ ଧରି ଏଠାକୁ ବୁଲିବାକୁ ଆସିଥିଲେ । ଆଉ ପାହାଡ ତଳକୁ ଯାଇ ରିଲସ କରିବା ବେଳେ ଦୁଇ ଜଣ ଛାତ୍ର ଅସାବଧାନତା କାରଣରୁ ବୁଡିଯାଇଥିଲେ। ଘଟଣା ବିଷୟରେ ସ୍ଥାନୀୟ ଲୋକ ସୂଚନା ପାଇ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଓମ୍ ଆଜି ପର୍ଯ୍ୟନ୍ତ ନିଖୋଜ ଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।   ଆଜି ଶବ ଉଦ୍ଧାର ହେବା ପରେ ଖୋର୍ଦ୍ଧା ସଦର ଥାନା ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍ସ ହସ୍ପିଟାଲ ପଠାଇ ଓମ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରିଥିବା ଆଇ ଆଇ ସି କାହୁଁ ଚରଣ ସ୍ୱାଇଁଙ୍କ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *