ଗରଦପୁର,୦୮/୧୧/୨୦୨୪ (ଓଡ଼ିଶା ସମାଚାର)-ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଅଙ୍ଗନୱାଡ଼ି କର୍ମୀ ଆଶା ଓ ୱାର୍ଡ଼ ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ଦିବସିୟ ଶିଶୁ ଅନୁକୂଳ ପଂଚାୟତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ପ୍ରତିଷ୍ଠାନ ସହଯୋଗରେ ଆୟୋଜିତ ଶିବିରକୁ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ମଣ୍ଡଳ ଉନ୍ନୟନ ଅଧିକାରୀଣି ଦେବସ୍ମିତା ଧଳ ଓ ବ୍ଲକ୍ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଣି ପାର୍ବତୀ ବାରିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାତୃ ଗର୍ଭରୁ ଶିଶୁ କିଭଳି ତାର ମୌଳିକ ସୁବିଧା ପାଇବା ସହ ସରକାରଙ୍କ ବିଭିନ୍ନ ଯୋଜନା ମମତା, ପୋଷଣ, ଅନ୍ନପ୍ରାସନ, ଟୀକାକରଣ, ପରିମଳ ଓ ପରିବେଶରେ ଶିଶୁ କିଭଳି ନିଜର ଭବିଷ୍ୟତକୁ ଗଢ଼ି ପାରିବା ସହ ପୃଷ୍ଟି ହିନତା ଭଳି ବିଭିନ୍ନ ବ୍ୟାଧିର ଶିକାର ନହୋଇ ଦେଶର ଭବିଷ୍ୟତ ଭାବେ ଠିଆ ହୋଇ ପାରିବ, ସେ ନେଇ ପ୍ରଶିକ୍ଷଣ ଦେଇଥିଲେ । ଏହାଛଡ଼ା ଲିଙ୍ଗଗତ ଭେଦ ଭାବ ଭୁଲି ଆଜିର ସମାଜରେ ପୁଅ ସହିତ ଝିଅ ସମାନ ଏହି ସଚେତନତା ସମସ୍ତଙ୍କ ନିକଟରେ ପହଂଚାଇବା ସହ କନ୍ୟା ଭୃଣ ହତ୍ୟା କିପରି ରୋକାଯାଇ ଉଭୟ ପୁଅ ଓ ଝିଅ ସୁନାଗରିକ ହୋଇ ଦେଶ ଗଠନରେ ସହାୟକ ହେବେ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଉନ୍ନୟନ ସହାୟକ ଚୈତନ୍ୟ ପ୍ରସାଦ ବିଶ୍ୱାଳ ସଂଯୋଜନା କରିଥିବାବେଳେ କର୍ମଚାରୀ ସାରଦା ପ୍ରସନ୍ନ ବାରିକ, ଧୃତିସୁନ୍ଦର ନାୟକ ସହଯୋଗ କରିଥିଲେ ।