ମାଟିରେ ମିଶିଲାଣି କେନାଲ: ଚାଷୀଙ୍କ କାମରେ ଆସୁନି

 କେବେ ହେବ ପୁନରୁଦ୍ଧାର , ଚାଷୀଙ୍କ ମୁଁହରେ ଫୁଟିବ ହସ

* ୧୫ ବର୍ଷ ହେବ କେନାଲରେ ପାଣି ଆସୁନି

* କେନାଲରେ ହେଲାଣି ଡମ୍ଫିୟାର୍ଡ ଲୋକେ କଲେଣି ଘର

* ୨ କୋଟି ଜାଗାରେ ଆସିଛି ମାତ୍ର ୨୦ ଲକ୍ଷ

ନିରାକାରପୁର, ୧୦/୭/୨୦୨୪ (ଓଡ଼ିଶା ସମାଚାର)- ଚାଷୀଙ୍କ ଜୀବନ ଜୀବିକା ପାଇଁ କୃଷିର ଉନ୍ନତି ନିମନ୍ତେ ତତ୍କାଳୀନ ସରକାର ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ମଲାଗୁଣୀ ନଦୀ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଏକ ଡ୍ୟାମ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ଠାରୁ ସମୁଦାୟ ମୁଖ୍ୟ ଓ ଶାଖା କେନାଲ ଭାବେ ୪୦ କିଲୋମିଟର କେନାଲ ଲମ୍ବିଥିବା ଜଣାପଡିଛି।

ଏହି ଡ୍ୟାମ ଠାରୁ ଗୋଟିଏ ଶାଖା ରାମେଶ୍ବର ପଞ୍ଚାୟତ ରାମେଶ୍ବର, ତାଳପଡ଼ା, ଚନ୍ଦନପୁର ଓ ମିରିଗଦୟଣୀ ଆଉ ଗୋଟିଏ କେନାଲ ପଦ୍ମପୁର ଦେଇ ନିରାକାରପୁର, ଡିଆ, କାଶିପୁର, ମୋରମୋରସିଂହ ଆଡ଼କୁ ଯାଇଛି। ସେଥିରୁ ଯାଜପୁର, ଭଗବତୀପଡା ତଇଲା ଓ ଗୋଡ଼ିପଦର ଆଡ଼କୁ ଯାଇଥିବା କେନାଲରୁ ଲେଣ୍ଡୁ ପଞ୍ଚାୟତ ଯାଜପୁର ଠାରୁ ଏକ କେନାଲ ୪ କିଲୋମିଟର ପର୍ଯ୍ୟନ୍ତ ଲେଣ୍ଡୁ, ଆସେଲି, ଲଳିତାପାଟପୁର, ଆରେଡି ଓ ଅରାଞ୍ଚଳ ଆଡ଼କୁ ଯାଇଛି। ଏହି ଅଞ୍ଚଳର ଲୋକେ ଏହି କେନାଲ ପାଣି ସହାୟତାରେ ଶହ ଶହ ହେକ୍ଟର ଜମିରେ ଚାଷ ବାସ କରି ଚଳି ପାରୁଥିଲେ। ଖରାଦିନେ ବିଭିନ୍ନ ପନିପରିବା ଓ ଖରାଦିନିଆ ଧାନ ଫସଲ ମଧ୍ୟ କରୁଥିଲେ। କିନ୍ତୁ ଏବେ ଏହି କେନାଲ ମାଟିରେ ମିଶିବାକୁ ବସିଲାଣି। ଦୀର୍ଘ ୧୫ ବର୍ଷ ହେବ ଆଉ ଆସୁନି ପାଣି କି ଚାଷୀ ଏହାର ଫାଇଦା ଉଠାଇ ଚାଷ କରିପାରୁ ନ ଥିବା ସେମାନଙ୍କ ଅଭିଯୋଗ। କାଳକ୍ରମେ କ୍ଷୁଦ୍ର ଜଳସେଚନ ବିଭାଗ ର ଅଣଦେଖା ଓ ରକ୍ଷଣାବେକ୍ଷଣ ଅଭାବରୁ ଏହି କେନାଲ ତାର ଅସ୍ଥିତ୍ଵ ହରାଇବାକୁ ବସିଛି। ଯାଜପୁର କେନାଲ ଠାରୁ ଆସିଥିବା ଏହି କେନାଲ ର ବିଭିନ୍ନ ସ୍ଥାନରେ କେନାଲ ବନ୍ଧ ଭାଂଗି ଭୁଶୁଡ଼ି ପଡିଥିବାବେଳେ କେନାଲ ମାଟିରେ ପୋତି ଇ ବଡ ବଡ ଗଛ ଲତା ହୋଇଗଲାଣି। ଏବେ ଏହା ସମତଳ ଭୂମି ଭ୍ରମ ସୃଷ୍ଟି କରୁଛି। ଲେଣ୍ଡୁ ,ଗୋପିନାଥପୁର ନିକଟରେ ଲୋକେ ଏହାକୁ ଡମ୍ଫିୟାର୍ଡ ଭାବେ ବ୍ୟବହାର କରୁଥିବାବେଳେ କେହି କେହି ଏହି କେନାଲ କୁ ମଡାଇ ଘର କରି ସାରିଲେଣି। ନୂଆ ଜଗନ୍ନାଥ ସଡ଼କ ତଳେ ପାଇପ୍ ଯୋଗେ ଆସେଲି ପଟକୁ ଅତିକ୍ରମ କରୁଥିବା ଏହି କେନାଲ ଲେଣ୍ଡୁ ଛକରେ ପୁରାପୁରି ପୋତି ହୋଇଯାଇଛି। ଫଳରେ କେନାଲରେ ପାଣି ଆସିବ ଦୂରର କଥା ବର୍ଷ ପାଣି ବି ବାହାରେ ଭାସୁଛି। ଏ ସମ୍ପର୍କରେ ଅଞ୍ଚଳ ବାସୀ ଙ୍କ ତରଫରୁ ବାରମ୍ବାର ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ବି ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ। ଗତ ବର୍ଷ ତତ୍କାଳୀନ କୃଷି ମନ୍ତ୍ରୀ ଙ୍କ ଲେଣ୍ଡୁ ଗ୍ରସ୍ତ ସମୟରେ ସ୍ଥାନୀୟ କିଛି ଲୋକ ପ୍ରତିନିଧି ଓ ଚାଷୀ ଏ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇବା ପରେ ମନ୍ତ୍ରୀ ଏହାର ଏକ ଜଏଣ୍ଟ ତଦାରଖ କରୁଥିଲେ। ପରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ନିରାକାରପୁର ଠାରୁ ମୋରମୋରସିଂହ ପର୍ଯ୍ୟନ୍ତ କେନାଲ ଉନ୍ନତିକରଣ ପାଇଁ ପ୍ରାୟେ ଅଢେଇ କୋଟି ଟଙ୍କା ର ଟେଣ୍ଡର ଡକା ଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଏହି କେନାଲ ପୁନରୁଦ୍ଧାର ପାଇଁ କେବଳ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି। ଯାହାକି ସମୁଦ୍ରକୁ ଶଙ୍ଖେ ଭଳି। ଯେଉଁଠି ଏହାର ପୁନରୁଦ୍ଧାର ପାଇଁ ଦୁଇ କୋଟି ଲାଗିବ ସେଠି କେବଳ ୨୦ ଲକ୍ଷ କେବଳ ଠିକାଦାର ପୋଷିବା ନ୍ୟାୟ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ତୁରନ୍ତ ଏହି କେନାଲ ପାଇଁ ଅଧିକ ଅର୍ଥ ର ବ୍ୟୟ ବରାଦ କରି ଏହାର ପୁନରୁଦ୍ଧାର କଲେ ଚାଷୀ ପାଣି ପାଇବେ ଓ ତାଙ୍କ ମୁହଁରେ ହସ  ଟିକେ ଫୁଟିବ। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କୁହନ୍ତି ସେ ଏହି କେନାଲ ପାଇଁ ଅଧିକ ଅର୍ଥ ବରାଦ ପାଇଁ ଲେଖି ଜଣାଇଥିଲେ। କିନ୍ତୁ ଅର୍ଥର ଅଭାବ ଥିବାରୁ ୨୦ ଲକ୍ଷ ଅନୁଦାନ ଆସିଛି। ଭବିଷ୍ୟତରେ ଆହୁରି ଅଧିକ ଅର୍ଥ ବରାଦ ପାଇଁ ସେ ଚେଷ୍ଟା କରିବେ।

ଏମାନେ କଣ କୁହନ୍ତି:

୧) ଏହି କେନାଲରେ ଜଳ ଆସିଲେ ଏହି ଅଞ୍ଚଳ ର ଚାଷୀ ବର୍ଷର ବିଭିନ୍ନ ସମୟରେ ଚାଷବାସ କରି ନିଜେ ଗୁଜୁରାଣ ମେଣ୍ଟାଇ ପାରିବେ।    ଲଡୁ ଦାସ, ଚାଷୀ,ଲେଣ୍ଡୁ

              ଲଡୁ ଦାସ 

 

୨) ଆମ ଅଞ୍ଚଳ ପାଇଁ ଅସମୟରେ ମଲାଗୁଣୀ ନଦୀରୁ ପାଣି ଆସିବ ଏହା ଏକ ପ୍ରମୁଖ ଭୂମିକା ନେଇଥିଲା। ଏହାର ପୁନରୁଦ୍ଧାର ହେଲେ ଏହି ଅଞ୍ଚଳ ର ଚାଷୀ ଉପକୃତ ହେବେ।

ରମେଶ ଚନ୍ଦ୍ର ପ୍ରଧାନ

 ରମେଶ ଚନ୍ଦ୍ର ପ୍ରଧାନ, ଉପସଭାପତି।  ଲଳିତାପାଟପୁର ସମବାୟ ସମିତି

 

୩) କେନାଲ ମରାମତି ହେଲେ ଆମେ ଚାଷୀକୁଳ ବଞ୍ଚିବୁ।

    ସୁରେଶ କୁମାର ମଙ୍ଗରାଜ, ଚାଷୀ,ଲେଣ୍ଡୁ

ସୁରେଶ କୁମାର ମଙ୍ଗରାଜ

 

ବିଜୟ କୁମାର ପାଲଟାସିଂହ

୪) ଏହି କେନାଲ ସମେତ ସମ୍ପୂର୍ଣ ମଲାଗୁଣୀ ଡ୍ୟାମର ସୁରକ୍ଷା ଓ କିପରି କେନାଲ ଗୁଡ଼ିକର ଉନ୍ନତିକରଣ ପାଇଁ ଆମେ ସବୁବେଳେ ଉଦ୍ୟମ କରୁଛୁ। ଆମର ଦାବି ରହିବ ତୁରନ୍ତ ଏହାର ମରାମତି କରି ପାଣି ଛାଡ଼ିବା ର ବନ୍ଦୋବସ୍ତ କରିବା ଜରୁରୀ।

  ବିଜୟ କୁମାର ପାଲଟାସିଂହ, ଚାଷୀ ତଥା ଜିଲ୍ଲା ପରିଷଦ ସଭ୍ୟ

Leave a Reply

Your email address will not be published. Required fields are marked *