ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି କରି ଜଂକିଆ ପେପସି କମ୍ପାନୀ ଆଗରେ ବିକ୍ଷୋଭ

ଆଲୋଚନାର ପ୍ରତିଶ୍ରୁତି ପରେ ସ୍ଥଗିତ
ନିରାକାରପୁର, ୯/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ମୁଣ୍ଡାଆମ୍ବ ମୌଜାରେ ଇଡକୋ ପକ୍ଷରୁ ଜାଗା ପ୍ରଦାନ କରାଯାଇ ଗଢି ଉଠିଥିବା ବିଭିନ୍ନ ଶିଳ୍ପାଞ୍ଚଳ ରେ ବିଭିନ୍ନ କମ୍ପାନୀରେ ସ୍ଥାନୀୟ ଅଂଚଳର ଲୋକ ମାନଙ୍କୁ ନିଯୁକ୍ତିରେ ଗୁରୁତ୍ବ ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି କରାଯାଉଥିଲେ ବି ସେଥିପ୍ରତି କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବା ପ୍ରତିବାଦରେ ଜଂକିଆ ଓ ପାଖାପାଖି ଅଂଚଳର ଲୋକେ କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟରେ ଅଭିଯୋଗ କରିଥିଲେ। ଆଜି ଶତାଧିକ ଲୋକ ଜଂକିଆ ମୁଣ୍ଡାଆମ୍ବ ଅଂଚଳରେ ଚାଲୁ ହୋଇଥିବା ପେପସି କମ୍ପାନୀ ସମ୍ମୁଖରେ ଧାରଣା ରେ ବସି ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ କରିଥିଲେ। ସେମାନଙ୍କ ଦାବିରେ ଜମି ଅଧିଗ୍ରହଣ ସମୟରେ ସେମାନଙ୍କୁ ଅଫିସିଆଲ୍ ନିଯୁକ୍ତିକୁ ଛାଡ଼ି ଗ୍ରାମ୍ୟ କମିଟି ମାଧ୍ୟମରେ ସୁପରଭାଇଜର, ଲେବର , ସୁଇପର ଇତ୍ୟାଦି ନିଯୁକ୍ତି କରିବା, କମ୍ପାନୀରେ ଲାଗୁଥିବା କଞ୍ଚାମାଲ ପାଇଁ ସ୍ଥାନୀୟ ଗାଡି ନିୟୋଜିତ ହେବା, କିଛି ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ କାର୍ୟ୍ୟରୁ ଅନ୍ତର କରିବା,ଗ୍ରାମର ଦେବାଦେବୀଙ୍କ ବିଭିନ୍ନ ପର୍ବରେ ସହାୟତା କରିବା ଓ କମ୍ପାନୀକୁ ପ୍ରବେଶ ପାଇଁ ଗ୍ରାମ୍ୟ କମିଟି କୁ ପାସ ପ୍ରଦାନ କରିବା ଭଳି ଦାବି ରହିଛି। ଆଜି ଶତାଧିକ ଆନ୍ଦୋଳନ କାରୀ ବିକ୍ଷୋଭ କରିବା ପରେ ଘଟଣାସ୍ଥଳକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ତହସିଲଦାର ବିଭାଷ ପାଣିଗ୍ରାହୀ, ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଓ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହିତ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହିତ କଥା ହୋଇଥିଲେ। ଆସନ୍ତା ୨୩ ତାରିଖ ରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ସାଂସଦ ଅପରାଜିତା ଷଡ଼ଙ୍ଗୀ, କମ୍ପାନୀର କର୍ତ୍ତୃପକ୍ଷ ଙ୍କ ଉପସ୍ଥିତି ରେ ଆଲୋଚନା ହେବାର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଆନ୍ଦୋଳନ ରେ ସ୍ଥାନୀୟ ଅଞ୍ଚଳର ମହେଶ ଚନ୍ଦ୍ର ରାଉତରାୟ (ଗତି), ଅକ୍ଷୟ ଉଦୟସିଂ,ରଜୁ ମାନସିଂହ, କିଶୋର ମାର୍ଥା, ଅମୁଲ୍ୟ ବଳବନ୍ତରାୟ, ଏବଂ ଗ୍ରାମ କମିଟିର ଅନ୍ୟ ସଭ୍ୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *