ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୯/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନ୍ଧାରୁଆଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରକୁ ଆଜି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରିଛନ୍ତି । ଏଥିରେ ମନ୍ତ୍ରୀ ପ୍ରତିଷ୍ଠାନର ପରିସର ଯଥା ପ୍ରଶାସନିକ ବ୍ଲକ, ଏକାଡେମିକ ବ୍ଲକ, ଲାଇବ୍ରେରୀ ଓ ଛାତ୍ରାବାସ ଆଦି ବୁଲି ଦେଖିଥିଲେ ।

ପ୍ରାରମ୍ଭରେ ପ୍ରତିଷ୍ଠାନର କାର୍ଯ୍ୟବଳୀ ଓ ଯୋଜନା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେନା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟବଳୀ, ପାଠ୍ୟ ଖସଡା, ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ । ଗଣିତର ଗବେଷଣାତ୍ମକ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ଶିକ୍ଷାଦାନ, ଗଣିତର ପ୍ରୟୋଗାତ୍ମକ ଦିଗରେ ଗବେଷଣା, ମେଧା ଅନେ୍ୱଷଣ ଓ ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟକୁ ହାତକୁ ନେଇ ପ୍ରତିଷ୍ଠାନ ସେହି ଦିଗରେ କାର୍ଯ୍ୟ କରୁଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଆବଶ୍ୟକ ଅନୁସାରେ ଏହି ପ୍ରତିଷ୍ଠାନରେ ଅଧ୍ୟାପକ ନିଯୁକ୍ତି ଏବଂ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଏହି ଅବସରରେ କହିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଅନୁଶାସନ ସଚିବ ଶ୍ରୀ ପଦ୍ମଲୋଚନ ଦାସ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ରେଜିଷ୍ଟାର ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *