ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଆସନ୍ତା ୧୪ ତାରିଖରେ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲିବା ସମ୍ଭାବନା

ପୁରୀ,୯/୭/୨୦୨୪ (ଓଡ଼ିଶା ସମାଚାର)-ଆସନ୍ତା ୧୪ ତାରିଖରେ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲିବା ସମ୍ଭାବନା । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ଆଜି ବସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦିଆଯିବ । ସରକାରଙ୍କ ଠାରୁ ଅନୁମତି ମିଳିଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ। ଚାବି ଥାଉ କି ନ ଥାଉ ରତ୍ନଭଣ୍ଡାର ଖୋଲିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକରେ ନିଷ୍ପତି ହୋଇଛି।
ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଶେଷ ହୋଇଛି । କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟ ପରିସରରେ ବୈଠକ ବସିଥିଲା । ଆସନ୍ତା ୧୪ରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ତଦାରଖ କମିଟି ଆଗରେ ଶ୍ରୀମନ୍ଦିର ପ୍ରଶାସକ ଚାବି ଉପସ୍ଥାପନ କରିବେ । ଆଜି ଚାବି ଉପସ୍ଥାପନ ହେବାର ଥିଲା ହେଲେ ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି । ସେହି ୧୪ ତାରିଖ ଦିନ ରତ୍ନଭଣ୍ଡାର ଖୋଲିବ ବୋଲି ଆଶା କରାଯାଉଛି । ତେବେ ଚାବି କାମ କରୁ ବା ନକରୁ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ । ଭକ୍ତମାନେ ହୁଏତ ଦୂରରୁ ଦର୍ଶନ କରିପାରନ୍ତି । ତେବେ ଏନେଇ ଭକ୍ତମାନେ ସହଯୋଗ କରିବେ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଆଜିର ବୈଠକ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲାଯିବା ସମୟରେ ଯେପରି ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଏହାଛଡ଼ା ରତ୍ନଭଣ୍ଡାରର ତଥ୍ୟକୁ ଡିଜିଟାଲ୍ ଡକ୍ୟୁମେଣ୍ଟେସନ କରାଯାଇ ସଂରକ୍ଷିତ ରଖାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Leave a Reply

Your email address will not be published. Required fields are marked *