ବାଲିଯାତ୍ରା ପ୍ଲଟ୍ ନିଲାମ ନିୟମ ଓ ସର୍ତାବଳୀ ଜାରି

କଟକ,୨୬/୦୯/୨୦୨୫(ଓଡ଼ିଶା ସମାଚାର)-ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆବଂଟନ ହେବାକୁ ଥିବା ପ୍ଲଟ୍ ନିଲାମ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତାବଳୀ ଲାଗୁ କରାଯାଇଛି । ଏଥି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରେସ୍ ବିବୃତି ମାଧ୍ୟମରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ତଥା ବାଲିଯାତ୍ରା ପ୍ଲଟ୍ ଆବଂଟନ କମିଟି ଅଧ୍ୟକ୍ଷ ଡ. ଦିବ୍ୟଲୋଚନ ମହାନ୍ତ ପ୍ରଦାନ କରିଛନ୍ତି ।

ପ୍ଲଟ୍ ଆବଂଟନ ନିମନ୍ତେ ପଞ୍ଜିକରଣ କାର୍ଯ୍ୟ ସେପ୍ଟେମ୍ବର ୨୬ତାରିଖଠାରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହାଇବ୍ରିଡ୍ ମୋଡ୍(ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍) ଜରିଆରେ କରାଯିବାକୁ ସ୍ଥିର କରାଯାଇଛି । ଆବେଦନକାରୀ ପଞ୍ଜିକରଣ ନିମନ୍ତେ ଆବେଦନପତ୍ର ସହିତ ବାରବାଟି ଷ୍ଟାଡିୟମ୍ ସନ୍ନିକଟ ବାରବାଟି ପ୍ୟାଲେସ ଠାରେ ସରକାରୀ ଛୁଟିଦିନ ବ୍ୟତୀତ ନିର୍ଦ୍ଧିଷ୍ଟ ତାରିଖ ମଧ୍ୟରେ ଦୈନିକ ପୂର୍ବାହ୍ନ ୧୧ ଘଟିକାଠାରୁ ଅପରାହ୍ଣ ୫ଘଟିକା ମଧ୍ୟରେ ଦାଖଲ କରି ପାରିବେ ଓ ପଞ୍ଜିକରଣ ପତ୍ର ଗ୍ରହଣ କରି ପାରିବେ । ଚଳିତବର୍ଷ ନିଲାମ ପ୍ରକ୍ରିୟା ସର୍ବନିମ୍ନ ୪୦ ଟଙ୍କା, ୫୦ଟଙ୍କା ଓ ୬୦ ଟଙ୍କା ରଖାଯାଇ ଆସନ୍ତା ଅକ୍ଟୋବର ୧୩ତାରିଖଠାରୁ ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡ. ମହାନ୍ତ ସୂଚନା ଦେଇଛନ୍ତି ।

ଏତଦବ୍ୟତୀତ ଛୋଟ ଛୋଟ ବ୍ୟବସାୟୀଙ୍କୁ ୮୦ ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି । ପ୍ରେସ ବିବୃତି ପ୍ରଦାନ ସମୟରେ ପ୍ଲଟ୍ ଆବଂଟନ କମିଟିର ଅନ୍ୟ ସଦସ୍ୟ କଟକ ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ସଦର ତହସିଲଦାର ଦେବଦତ ପ୍ରଧାନ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଥାଟୋଇଙ୍କ ସମେତ ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *