ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱରର ‘ନିମନ୍ତ୍ରଣ’ ରେ ଆରମ୍ଭ ହେଲା ସ୍ୱତନ୍ତ୍ର ଶାକାହାରୀ ବ୍ୟଞ୍ଜନ

                                 ପ୍ରତ୍ୟହ ମାତ୍ର ୫୪୯ ଟଙ୍କାରେ ମିଳିବ ବିନା ପିଆଜ, ରସୁଣରେ ପ୍ରସ୍ତୁତ ୧୫ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର,୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରଥଯାତ୍ରାର ଦିବ୍ୟ ପରିବେଶରେ ଭୁବନେଶ୍ୱରର ‘ନିମନ୍ତ୍ରଣ’ ପକ୍ଷରୁ ସ୍ୱତନ୍ତ୍ର ଶାକାହାରୀ ଥାଳିର ଶୁଭାରମ୍ଭ କରାଯାଇଛି । ରଥ ଉତ୍ସବରେ ଅନୁପ୍ରାଣିତ ହୋଇ ୨୦୨୪ ଜୁଲାଇ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ନିମନ୍ତ୍ରଣ ରେସ୍ତୋଁରା ପକ୍ଷରୁ ଏହି ଥାଳିରେ ପେଟପୂରା ୧୫ ପ୍ରକାର ଶାକାହାରୀ ବ୍ୟଞ୍ଜନ ପରସା ଯିବାର ବ୍ୟବସ୍ଥା କରାଯାଇଛି ।

          ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡ଼ିଆ ସଂସ୍କୃତି, ପର୍ବପର୍ବାଣି ଏବଂ ବ୍ୟଞ୍ଜନର ଆଦୃତି ବୃଦ୍ଧି ନିମନ୍ତେ ପ୍ରୟାସ କରାଯାଉଛି । ଖାଣ୍ଟି ଓଡ଼ିଆ-ବ୍ୟଞ୍ଜନ ରେସ୍ତୋଁରା ଭାବେ ପରିଚିତ ‘ନିମନ୍ତ୍ରଣ’ରେ ସାତ୍ତ୍ୱିକ ବ୍ୟଞ୍ଜନର ଆଦୃତିକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଥାଳିର ବ୍ୟବସ୍ଥା

କରାଯାଇଛି । ନବଦିନବ୍ୟାପୀ ପବିତ୍ର ରଥଯାତ୍ରା ଅବସରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯିବ ଏବଂ ଆଗ୍ରହୀ ବ୍ୟକ୍ତିମାନେ ପେଟପୂରା ଖାଦ୍ୟର ଆନନ୍ଦ ନେଇପାରିବେ ।

          ଶୁଭାରମ୍ଭ ଉତ୍ସବରେ ୩୦ରୁ ଅଧିକ ଗଣମାଧ୍ୟମର ପ୍ରତିନିଧି, ସାମାଜିକ ଗଣମାଧ୍ୟମ ପ୍ରସାରକ ଏବଂ ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇଥିଲେ । ସେମାନଙ୍କର ମତାମତ ଆଧାରରେ ଆଗାମୀ ୯ ଦିନ ଧରି ପରିଦର୍ଶକମାନଙ୍କ ନିମନ୍ତେ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ଏହି ଶାକାହାରୀ ଥାଳିରେ ଭାତ, କାନିକା, ଡାଲମା, ପୁରୀ, ବେସର, ଶାଗ, ପାଚେଡ଼ି ସହ ଖାସ୍ତା ମିଠା, ଛେନା ମିଠା, କ୍ଷୀରି ଓ ଦହିତୋରାଣି ଆଦି ପରସା ଯିବ ।

          ସୂଚନାଯୋଗ୍ୟ ଯେ ଏହି ଅବଧି ମଧ୍ୟରେ ନିମନ୍ତ୍ରଣ ରେସ୍ତୋଁରାରେ କୌଣସି ପ୍ରକାର ଆମିଷ ଖାଦ୍ୟ ଉପଲବ୍ଧ ହେବ ନାହିଁ । ଏହି ସମୟରେ ମଧ୍ୟାହ୍ନ ଭୋଜନ ଏବଂ ରାତି୍ର ଭୋଜନରେ କେବଳ ସ୍ୱତନ୍ତ୍ର ଶାକାହାରୀ ଥାଳି ମିଳିବ ।

          ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଟିଡିସିର ସାଧାରଣ ପରିଚାଳକ ଡ. ଲଲାଟେନ୍ଦୁ ସାହୁ, ‘ନିମନ୍ତ୍ରଣ’ର ମୁଖ୍ୟ ସେଫ୍‌ ଶ୍ରୀ ସଞ୍ଜୟ ସରକାର ଏବଂ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *