୧୦୨ ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳିତ, ଯୋଗ ଦେଲେ ସମବାୟ ମନ୍ତ୍ରୀ

                                               ଓଡ଼ିଶାର ସମସ୍ତ ଚାଷୀ ପରିବାରଙ୍କୁ ସମବାୟରେ କରାଯିବ ସାମିଲ: ମନ୍ତ୍ରୀ

ଭୁବନେଶ୍ୱର, ୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସମସ୍ତ ଚାଷୀ ପରିବାରଙ୍କୁ ସମବାୟରେ ସାମିଲ କରାଯିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେ ନେଇ କାର୍ଯ୍ୟପନ୍ଥାକୁ ଆହୁରି ଶାଣିତ କରାଯିବା ସହ ସମବାୟ ମାଧ୍ୟମରେ ଖାଦ୍ୟ ଯୋଗାଣ, ରାଜ୍ୟରେ କୃଷକ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ । ଆଜି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ୧୦୨ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଶ୍ରୀ ବଳସାମନ୍ତ । ନୂତନ ଭାବେ ନିର୍ବାଚିତ ହୋଇଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତଙ୍କୁ ପରିଚାଳନା ପରିଷଦର ସଦସ୍ୟ ଓ ସଦସ୍ୟାବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

          ସମବାୟ ସଂସ୍ଥାଗୁଡ଼ିକ ମାଧ୍ୟମରେ ତୃଣମୂଳ ସ୍ତରରେ ବ୍ୟକ୍ତିବିଶେଷଙ୍କ ଅର୍ଥନୈତିକ ବିକାଶକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ୫୪ ଗୋଟି ନୂତନ କାର୍ଯ୍ୟକ୍ରମର ସୂତ୍ରପାତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା  ଦେଇଛନ୍ତି । ସମବାୟର ଅଧିକାରୀମାନଙ୍କୁ ଗତିଶୀଳ ହୋଇ କାର୍ଯ୍ୟ କରିବା ସହ ଦିନକୁ ୧୬ ଘଣ୍ଟା କାମ କରି ଓଡ଼ିଶାର ସମବାୟ ସମିତିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଆହ୍ୱାନ କରିଛନ୍ତି ।

          ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଯୋଗଦେଇ ସମବାୟ ୟୁନିୟନର ମୁଖପତ୍ର ସମବାୟ ସମାଚାରକୁ ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ ବୟନ, ହସ୍ତଶିଳ୍ପ, ମତ୍ସ୍ୟସମ୍ପଦ ଓ ଋଣ ବିଭାଗରୁ ଜଣେ ଜଣେ ହିତାଧିକାରୀ ନିଜର ସଫଳତାର କାହାଣୀ କହିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା ତର୍କ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

          କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ସମବାୟ ମହାସମୀକ୍ଷକ ଶ୍ରୀ ପ୍ରଭୂକଲ୍ୟାଣ ପଟ୍ଟନାୟକ, ଓମ୍‌ଫେଡ଼ର ଏମଡ଼ି ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ମୁଖ୍ୟବକ୍ତା ଭାବେ ନାବାର୍ଡ଼ ସିଜିଏମ୍‌ ଶ୍ରୀ ସୁଧାଂଶୁ କେ. କେ. ମିଶ୍ର ଉପସ୍ଥିତ ଥିଲେ । ସଭାର ସଭାପତିତ୍ୱ କରିଥିଲେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ଉପସଭାପତି ଶ୍ରୀ ବିରୋସେନ ସାହୁ ଓ ସମ୍ପାଦକ ଶ୍ରୀ ବ୍ରହ୍ମାନନ୍ଦ ପରିଡ଼ା ମଞ୍ଚ ପରିଚାଳନା କରିଥିବାବେଳେ ସଭାପତି ଶ୍ରୀମତୀ ପ୍ରବାସିନୀ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *