ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲାସ୍ତରୀୟ ପ୍ରତିଯୋଗିତା

                                               “ପ୍ରତିଭାର ବିକାଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ଏ ଉଦ୍ୟମ ପ୍ରଶଂସାଯୋଗ୍ୟ”

କେନ୍ଦ୍ରାପଡ଼ା,୬/୭/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ-୨୦୨୪ ପାଳନ ଉପଲକ୍ଷେ ଆଜି କେନ୍ଦ୍ରାପଡ଼ା ଜିଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଜିଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବ୍ଲକସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ, ଜିଲା ଶିକ୍ଷା ବିଭାଗ, ଜିଲା ସଂସ୍କୃତି ପରିଷଦ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଓଡ଼ିଆ ବକ୍ତୃତା, କବିତା ଆବୃତି, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସୃଜନ ପ୍ରତିଭା ପ୍ରଦର୍ଶନ କରିଥିଲେ । ବରିଷ୍ଠ ବର୍ଗରେ ୮ମ, ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିବା ବେଳେ କନିଷ୍ଠ ବର୍ଗରେ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଥିଲେ । କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୪ ତାରିଖରେ ଏବଂ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୭ ତାରିଖ ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନଙ୍କ ସୃଜନ ପ୍ରତିଭା ପ୍ରଦର୍ଶନ କରିବେ । ଏହି ଜିଲାସ୍ତରୀୟ ପ୍ରତିଯୋଗିତାରେ ସରୋଜ କୁମାର ମହାନ୍ତି, ନବଜ୍ୟୋତି ରାୟ, ଅକ୍ଷୟ କୁମାର ନାୟକ, ରବି ନାରାୟଣ ପତି, ଇଂ ଜ୍ଞାନ ରଞ୍ଜନ ନାୟକ, ଅକ୍ଷୟ କୁମାର ପାଣି, ଶୈଳଜା ଶଙ୍କର ସାମଲ, ଡ. ମଥୁରୀ ଚରଣ ନାୟକ, ମାତୃଦତ ମହାନ୍ତି, ନୃସିଂହ ତ୍ରିପାଠୀ, କୈଳାଶ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ବଳରାମ କର ପ୍ରମୂଖ ବିଚାରକ ଭାବେ ଯୋଗଦେଇ  ଛାତ୍ରଛାତ୍ରୀଙ୍କ ପ୍ରତିଭାର ମୂଲ୍ୟାଙ୍କନ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ “ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନର ବିକାଶ ପାଇଁ ଏହା ଏକ ପ୍ରକୃଷ୍ଟ ମଂଚ । ଓଡ଼ିଶା ସାହିତ୍ୟ ଏକାଡେମୀର ଏ ଉଦ୍ୟମ ପ୍ରଂଶସା ଯୋଗ୍ୟ” ।

Leave a Reply

Your email address will not be published. Required fields are marked *