ଜଗତସିଂହପୁର ଜିଲ୍ଲାସ୍ତରୀୟ ଜୁନସିସ ଦିବସ ପାଳନ

ଜଗତସିଂହପୁର, ୬/୭/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଜୁନସିସ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜୁଲାଇ ୬ ତାରିଖରେ ବିଶ୍ବ ଜୁନସିସ ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଜୁନସିସ  ରୋଗର ପ୍ରତିରୋଧ ଯଥା ସଚେତନତାକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ରୋଗ ପ୍ରାଣୀମାନଙ୍କଠାରୁ ମଣିଷକୁ ସଂକ୍ରମଣ ହୋଇଥାଏ । ବର୍ତ୍ତମାନ ଏହା ଏକ ବଡ ଜନସ୍ବାସ୍ଥ୍ୟ ସମସ୍ୟା ଭାବେ ସାରା ବିଶ୍ୱରେ ଦେଖାଦେଇଛି  । ଏହାର କାରଣ କୃଷି କ୍ଷେତ୍ରରେ ପଶୁମାନଙ୍କ ସହିତ ଘନିଷ୍ଠ ସମ୍ପର୍କ, ସାଥୀ ଏବଂ ପ୍ରାକୃତିକ ପରିବେଶ, ପଶୁ ପକ୍ଷୀ ବାଣିଜ୍ୟ, ଦ୍ବାରା ହୋଇଥାଏ । ଏହି ରୋଗ ମଧ୍ୟ ଖାଦ୍ୟପାଇଁ ବ୍ୟବହାର ହେଉଥିବା ପଶୁ ପକ୍ଷୀ ଓ ପଶୁ ଉତ୍ପାଦନ ନିମନ୍ତେ ବାଣିଜ୍ୟରେ ବ୍ୟବ‌ହାର ହେଉଥିବା ପଶୁ ମାନଙ୍କ ସଂସ୍ପର୍ଶରେ ଆସୁଥିବା ଜନସାଧାରଣଙ୍କୁ ହୋଇଥାଏ । ଏହା ଦୁଇଟି ଗ୍ରୀକ ଶବ୍ଦ ଜୁନ -ଆନିମଲ ଓ ନୋସନ- ଅସୁସ୍ଥତା । ରୋଗଗୁଡିକ ହେଲା ରାବିଜ, ବ୍ରୁସେଲସିସ, ଲେପଟୋସ୍ପିରୋସିସ, ପ୍ଲେଗ, ବାର୍ଡ଼ ଫ୍ଲୁ, ଡେଙ୍ଗୁ, କୋଭିଡ, ସ୍କବ ଟାଇଫସ, ଜାପାନୀ ଏନସେଫାଇଲ୍ଟିସ, ଇତ୍ୟାଦି ରୋଗ ହୋଇଥାଏ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର  ପ୍ରମୋଦ କୁମାର ବାରିକ ନିଜ ଅଭିଭାଷଣରେ ଏବେ ସମସ୍ତେ ଘରେ ରଖୁଥ‌ିବା ପଶୁମାନଙ୍କ ସଂସ୍ପର୍ଶରେ ଆସିଲେ ହାତକୁ ପରିଷ୍କାର କରିବା ସହ ସେମାନଙ୍କୁ ଭ୍ୟାକସିନେସନ କରିବା ଉଚିତ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭୁଦତ୍ତ ଦାଶ ଜିଲ୍ଲାର ଏ ଜନିତ ପଦକ୍ଷେପ ଓ ନୀତିନିୟମ କଣ ଅଛି ସେ ବିଷୟରେ ଅବଗତ କରାଇଥିଲେ । ଏ.ଡି.ଇ.ଓ ପରେଶ ଚନ୍ଦ୍ର ପାତ୍ର ଅଭିଭାଷଣରେ ପିଲାମାନେ ଜାଣିଲେ ପରିବାର ଜାଣିବେ, ତେଣୁ ସ୍କୁଲ ସ୍ତରରେ ସଚେତନତା କରାଇବା ନିତାନ୍ତ ଜରୁରୀ ଓ ଏଥିପାଇଁ ସେ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କୁ ଅବଗତ କରାଇବାକୁ ବ୍ୟବସ୍ଥା କରିବେ ବୋଲି ଜଣାଇଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ (ରୋଗ ନିୟଂତ୍ରଣ) ଏକ ବିସ୍ତୃତ ପ୍ରେଜେଣ୍ଟେସନ ଦ୍ବାରା ଏହି ରୋଗ ସଂକ୍ରମଣର କାରଣ ଗୁଡିକ ବିଷୟରେ ଯଥା ଅର୍ଥନୈତିକ, ସାମାଜିକ ଓ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଯେପରିକି ଜନସଂଖ୍ୟା ବୃଦ୍ଧି, ସହରୀକରଣ, ଅନ୍ତର୍ଜାତୀୟ ଭ୍ରମଣ ଓ ପର୍ଯ୍ୟଟନ, ସାଂସ୍କୃତିକ ଖାଦ୍ୟପେୟର ଅଭ୍ୟାସ, ସମାନ ଜନସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟସେବା ଗ୍ରହଣର ଅଭାବ, ଅର୍ଥନୈତିକ ବାଣିଜ୍ୟ, ବନ୍ୟ ପଶୁମାନଙ୍କୁ ଘରେ ପାଳିବା, ପାଣିପାଗର ପରିବର୍ତନ, ଚାଷ ପାଇଁ ଜଙ୍ଗଲ ନଷ୍ଟ କରିବା ଇତ୍ୟାଦି ଦ୍ବାରା ହୋଇଥାଏ ବୋଲି ବୁଝାଇଥିଲେ । ଡାକ୍ତର ବିବେକାନନ୍ଦ ପଣ୍ଡା ଜିଲ୍ଲାରେ ଏଜନିତ ରୋଗର କେଉଁସବୁ ଟେଷ୍ଟ ସରକାରଙ୍କ ତରଫରୁ ମାଗଣାରେ ଉପଲବ୍ଧ ଯାହା ବାହାରେ ବହୁତ ବ୍ୟୟସାପେକ୍ଷ ଅବଗତ କରାଇଥିଲେ । ଜିଲ୍ଲା ସ୍ତରରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ଜିଲ୍ଲା ସ୍ତରରୁ ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ନୀଳମାଧବ ରଥ, ପ୍ରଦୀପ୍ତ କୁମାର ସ୍ବାଇଁ, ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂଗ ର ପ୍ରିନସିପାଲ୍ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ଜଗତସିଂହପୁର ୱାର୍ଡର ମହିଳା ଆରୋଗ୍ୟ ସମିତିର ମେମ୍ୱରମାନେ, ବ୍ଲକସ୍ତରର ପି.ଏଚ.ଇ.ଓ. ମାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *