ଜଗତସିଂହପୁର, ୦୨/୦୧/୨୦୨ ୪ (ଓଡ଼ିଶା ସମାଚାର)-ସମୟ ଉପଯୋଗୀ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ରେ ସରକାରୀ ଓ ବେସରକାରୀ ହସ୍ପିଟାଲ ମାନଙ୍କରେ ଉପଲବ୍ଧ ସୁବିଧା ର ସର୍ବାଧିକ ଉପଯୋଗ କରିବା ପାଇଁ ବି ଏସ୍ କେ ୱାଇ ପରିସର କୁ ସମ୍ପ୍ରସାରିତ କରାଯାଉଛି। ଏଥିରେ ରେଜିଷ୍ଟ୍ରେସନ୍ ପାଇଁ ପୋର୍ଟାଲ www.bskynabin.odisha.gov.in ଟି ଜାନୁଆରୀ 6 ତାରିଖ ଠାରୁ ଜାନୁଆରୀ 16 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।ଏହି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଆଜି ଜିଲ୍ଲା ପରିଷଦ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତାରେ, ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜେଠୀ ସମସ୍ତ ବ୍ଲକ୍ ର ବି ଡି ଓ ମାନଙ୍କୁ ଏଥିପ୍ରତି ଧ୍ୟାନ ଦେଇ ପ୍ରତ୍ୟେକ ବ୍ୟକ୍ତି ପାଖରେ ଏହି ସୂଚନା ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ।ଆଗାମୀ 6 ତାରିଖ ଠାରୁ କାର୍ଡ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଉଥିବାରୁ , 1 ରୁ 6 ତାରିଖ ପର୍ଯ୍ୟନ୍ତ ସଚେତନତା ଜାରି ରଖି ସମସ୍ତ ହିତାଧିକାରୀ ମାନଙ୍କୁ ଏହି ସୁବିଧା ରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ବିଦ୍ୟାଳୟ ଗୁଡିକ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଚେତନ କରି ପିଲା ମାନଙ୍କ ମାଧ୍ୟମରେ ପିତା ମାତା ଙ୍କ ପାଖରେ ସୂଚନା ପହଞ୍ଚାଇବା , ଅଙ୍ଗନବାଡି କର୍ମୀ ତଥା ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ଏହି ସଚେତନତା ଅଭିଯାନରେ ସାମିଲ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ଜେଠୀ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ ଦାଶ ବି ଏସ୍ କେ ୱାଇ ନବୀନ କାର୍ଡ ର ବିସ୍ତୃତ ବିବରଣୀ ଦେଇଥିଲେ। ଏହା ଅନୁଯାୟୀ, ପୂର୍ବରୁ ବି ଏସ୍ କେ ୱାଇ କାର୍ଡ ପାଇଥିବା ଏବଂ ରେସନ୍ କାର୍ଡ ଅନ୍ତର୍ଭୁକ୍ତ ପରିବାର ଙ୍କ ନିମନ୍ତେ କାର୍ଡ ପାଇବାର ଯୋଗ୍ୟତା ବା ଅର୍ଥ ରାଶି ରେ କୌଣସି ପରିବର୍ତ୍ତନ ହେବନାହିଁ, ତେଣୁ ସେମାନେ ଏଥିପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ। ସେହିପରି ଜାତୀୟ ଖାଦ୍ୟ ନିରାପତ୍ତା ବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ରେ ନୂଆ ଭାବେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀ ମାନେ ଏଥିରେ ସ୍ଵତଃ ଅନ୍ତର୍ଭୁକ୍ତ ହେବେ। ଏହି ବି ଏସ୍ କେ ୱାଇ ନବୀନ କାର୍ଡ ପାଇଁ ସବୁ ଗ୍ରାମୀଣ ପରିବାର (ନିୟମିତ ସରକାରୀ କର୍ମଚାରୀ, ପେନସନଧାରୀ ଏବଂ ଆୟକର ଦାତା ଙ୍କ ବ୍ୟତୀତ)ଯୋଗ୍ୟ ବିବେଚିତ ହେବେ।କାର୍ଡ ଅନ୍ତର୍ଭୁକ୍ତ ହିତାଧିକାରୀ ମାନେ ତାଲିକା ଭୁକ୍ତ ଘରୋଇ ହସ୍ପିଟାଲରେ ହୃଦ୍ ରୋଗ, କିଡ଼ନୀ ରୋଗ, ବ୍ରେନ ଷ୍ଟ୍ରୋକ,ଗଭୀର ମସ୍ତିଷ୍କ କ୍ଷତ,ବ୍ରେନ ଟ୍ୟୁମର ଆଦି ରୋଗ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ।
ବି ଏସ୍ କେ ୱାଇ ନବୀନ କାର୍ଡ ରେ ପ୍ରତି ପରିବାର ପାଇଁ ବାର୍ଷିକ 5 ଲକ୍ଷ ଏବଂ ମହିଳା ସଦସ୍ୟ ମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ ମୁକ୍ତ ଚିକିତ୍ସା ପ୍ରାବଧାନ କରାଯାଇଛି। ଏହି ସୁବିଧା 2024 ମେ ମାସ 1 ତାରିଖ ଠାରୁ ଉପଲବ୍ଧ ହେବ। ଆବେଦନ କରିବା ପାଇଁ ପରିବାର ର ମୁଖ୍ୟ ଙ୍କ ନାମ ରେ ପଞ୍ଜୀକରଣ କରିବା ଆବଶ୍ୟକ। 18 ବର୍ଷ ରୁ ଉର୍ଦ୍ଧ୍ବ, ଭୋଟର କାର୍ଡ ଥିବା ବ୍ୟକ୍ତି ପରିବାର ପକ୍ଷରୁ ନିଜର ସକ୍ରିୟ ମୋବାଇଲ ନମ୍ବର ଏବଂ ଆଧାର କାର୍ଡ ସହ ଆବେଦନ କରିପାରିବେ ।ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତ୍ତିକ ଇ -କେ ୱାଇ ସି ବାଧ୍ୟତାମୂଳକ। 5 ବର୍ଷ ରୁ କମ୍ ପିଲା ଙ୍କ ସହିତ ସମସ୍ତ ଙ୍କର ଆଧାର କାର୍ଡ ଆବଶ୍ୟକ ଏବଂ 5 ବର୍ଷ ରୁ କମ୍ ପିଲାମାନଙ୍କର ଆଧାର କାର୍ଡ ନଥିଲେ 30.06.2024 ରିଖ ସୁଦ୍ଧା ଆଧାର ନମ୍ବର ଦାଖଲ ନିମନ୍ତେ ପ୍ରତିଜ୍ଞା ପତ୍ର ଦିଆଯିବା ଆବଶ୍ୟକ। ଜଗତସିଂହପୁର ଜିଲ୍ଲା ର ସମସ୍ତ ହିତାଧିକାରୀ ମାନଙ୍କୁ ଏହି ବି ଏସ୍ କେ ୱାଇ ନବୀନ କାର୍ଡ ର ସୁବିଧା ନେବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସୂଚନା ଦେଇଛନ୍ତି। ଅନଲାଇନ ମାଧ୍ୟମରେ ଦରଖାସ୍ତକାରୀ www.bskynabin.odisha.gov.in ସାଇଟ୍ କୁ ଯାଇ ପଞ୍ଜୀକରଣ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସହାୟତା କେନ୍ଦ୍ର (155369)ନମ୍ବର ରେ ଯୋଗାଯୋଗ କରିପାରିବେ। ଦରଖାସ୍ତକାରୀ ମାନେ ମଧ୍ୟ ନିକଟବର୍ତ୍ତୀ ମୋ ସେବା କେନ୍ଦ୍ର ରେ ବିନା ଦେୟ ରେ ପଞ୍ଜୀକରଣ କରିପାରିବେ। ଏହି ବୈଠକରେ ସମସ୍ତ ବି ଡି ଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତି କରିଥିଲେ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହିତାଧିକାରୀ ମାନଙ୍କୁ ଏହି କାର୍ଡ ପାଇଁ ଯଥା ଶୀଘ୍ର ଆବେଦନ କରିବାକୁ ସୂଚନା ଦିଆଯାଇଛି।