ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ର ଗର୍ବ ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ  ନିମାପଡ଼ା ରେ ସମ୍ବର୍ଦ୍ଧନା

ନିମାପଡ଼ା, ୩/୭/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ର ଗର୍ବ ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ ନିମାପଡ଼ା ଏନଏସି ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା, ସ୍ବେଛାସେବୀ ଅନୁଷ୍ଠାନ, କଲେଜ ସ୍କୁଲ ଛାତ୍ରଛାତ୍ରୀ, ମହିଳା ସଂଗଠନ ପ୍ରଭୃତି ଏକତ୍ରିତ ହୋଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ସ୍ଥାନୀୟ ଟାଉନହଲ ପରିସରରେ ନିମାପଡ଼ା ସିଭିଲ ସୋସାଇଟି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ନିମାପଡ଼ାର ବିଭିନ୍ନ ବର୍ଗର ପ୍ରାୟ ୯୨ଟି ସଂସ୍ଥାର କାର୍ଯ୍ୟକର୍ତ୍ତା ଉପମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା, ଉତ୍ତରିୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଉତ୍ସବରେ ପୂର୍ବତନ ବିଧାୟକ ବେଣୁଧର ସେଠୀ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ସମାଜସେବୀ ସଚ୍ଚିଦାନନ୍ଦ ସାହୁ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରମୁଖ ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବର୍ଦ୍ଧନା ସମାରୋହ ଆରମ୍ଭ ହେବାର ବହୁସମୟ ପରେ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ ସଭାସ୍ଥଳରେ ପହଞ୍ଚିଥିଲେ। ଅଧ୍ୟକ୍ଷାଙ୍କ ଉପସ୍ଥିତିକୁ ଭାଜପାର କାର୍ଯ୍ୟକର୍ତାମାନେ ବିରୋଧ କରି ସଭାସ୍ଥଳ ପରିତ୍ୟାଗ କରିବା ଦେଖା ଯାଇଥିଲା। ପ୍ରକାଶ ଥାଉକି, ନିମାପଡ଼ା ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ ୨୪ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ବିରୋଧ କରି ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ସିଧାସଳଖ ନିର୍ବାଚନ ପ୍ରଚାର ଚଳାଇଥିଲେ। ବିଜେଡ଼ି ପ୍ରାର୍ଥୀଙ୍କ ପରାଜୟ ଏବଂ ଭାଜପା ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ବିଜୟୀ ହେବାସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ନିଜ ଆସନକୁ ବଞ୍ଚେଇ ରଖିବା ଉଦ୍ଦେଶ୍ୟରେ ଏନଏସି ଅଧ୍ୟକ୍ଷା ବାରମ୍ବାର ବିଭିନ୍ନ ଉପାୟରେ ଶ୍ରୀମତୀ ପରିଡ଼ାଙ୍କ ନିକଟତର ହେବାକୁ ଚେଷ୍ଟାକରି ବିଫଳ ହେବାପରେ ସମ୍ବର୍ଦ୍ଧନା ଉତ୍ସବକୁ ଟାର୍ଗେଟ କରି ପ୍ରଭାତୀ ପରିଡ଼ାଙ୍କ ନିକଟରେ ପହଞ୍ଚି ପାରିଥିଲେ। ଶ୍ରୀମତୀ ପରିଡ଼ା ମଧ୍ୟ ଉଦ୍ଦାରତାର ପରିଚୟ ଦେଇ ମଞ୍ଚରେ ଅଧ୍ୟକ୍ଷାଙ୍କୁ ସମ୍ମାନ ସ୍ୱରୂପ ବସିବାକୁ ଅନୁମତି ପ୍ରଦାନ କରିଥିଲେ। କିନ୍ତୁ ଭାଜପାର କାର୍ଯ୍ୟକର୍ତ୍ତାମାନେ ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ। ଫଳସ୍ୱରୂପ ଏନଏସି ନଗର ସଭାପତି ନିରଞ୍ଜନ ନାୟକ, ଉପ ନଗରପାଳ ସନ୍ତୋଷ ଦାଶଙ୍କ ସମେତ ଏନଏସିର ୯ଜଣ କାଉନସିଲର ଅଧ୍ୟକ୍ଷାଙ୍କ ଉପସ୍ଥିତିକୁ ବିରୋଧ କରି ସମ୍ବର୍ଦ୍ଧନା ସମାରୋହ ସଭାସ୍ଥଳରୁ ଫେରି ଯାଇଥିଲେ। ଅଧ୍ୟକ୍ଷାଙ୍କ ଉପସ୍ଥିତିକୁ ଭାଜପାର ଶତାଧିକ କର୍ମୀ ମଧ୍ୟ ନାପସନ୍ଦ କରିଥିଲେ।

Leave a Reply

Your email address will not be published. Required fields are marked *