ଯାଜପୁର ,୧/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର ):-ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଆଜି ବରୀ ରାମଚନ୍ଦ୍ରପୁର ଥାନା ଗୃହରକ୍ଷୀ କାର୍ଯ୍ୟାଳୟ ପରିସରରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଥାନାଧିକାରୀ ପ୍ରକାଶ କୁମାର ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଥାନା ର ଅନ୍ୟ କର୍ମଚାରୀ , ଆଇନଜୀବୀ ଚିତ୍ତରଞ୍ଜନ ଓଝା ଉପସ୍ଥିତ ରହି ନୂତନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ଆଲୋଚନାରେ ବୁଦ୍ଧିଜୀବୀ , ଗଣମାଧ୍ୟମ ପ୍ରତିନିଧି ଓ ସଚେତନ ନାଗରିକ ଭାଗ ନେଇଥିଲେ ।
ବ୍ରିଟିଶ ଶାସନ କାଳୀନ ଅପରାଧିକ ଆଇନର ଅନ୍ତ ଘଟି ଆଜି ଠାରୁ ନୂଆ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାଖ୍ୟ ଅଧିନିୟମ ଲାଗୁ ହେଲା ବୋଲି ଥାନାଧିକାରୀ ନିଜ ବକ୍ତବ୍ୟରେ କହିବା ସହ ୧୮୬୦ରେ ପ୍ରଣୀତ ଆଇ ପି ସି ରେ ମୋଟ ୫୧୧ ଧାରା ଥିବା ବେଳେ ଭାରତୀୟ ନ୍ୟାୟ ସଂହିତାରେ ମୋଟ ୩୫୮ ଧାରା ରହିଛି । ସେହିପରି ପୂର୍ବର ସିଆରପିସି , ଆଇ ଇ ଏ ରେ ଯଥାକ୍ରମେ ୪୮୪ ଓ ୧୬୭ ଧାରା ଥିବା ବେଳେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାଖ୍ୟ ଅଧିନିୟମରେ ଯଥାକ୍ରମେ ୫୩୧ ଓ ୧୭୦ ଧାରା ଥିବା ଜଣାପଡିଛି । ଉକ୍ତ ନୂତନ ଆଇନ କୁ ନିଜ ନିଜ ଅଞ୍ଚଳରେ ଲୋକ ମାନଙ୍କୁ ସଚେତନ କରାଇବାକୁ ଶ୍ରୀ ସାହୁ ସମସ୍ତଙ୍କୁ ନିବେଦନ କରିଥିଲେ ।